ରାଜଧାନୀରେ ଆର୍ମି ମେଜର୍-ପୋଲିସ ବିବାଦ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର କୁମାରଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଛି। ଭରତପୁର ଥାନାକୁ ଯାଇ ସିସିଟିଭି ପୁଟେଜକୁ ଯାଞ୍ଚ କରୁଛନ୍ତି ଟିମ୍। ସେପଟେ ଆସନ୍ତାକାଲି ହାଇକୋର୍ଟରେ ମାମଲାର ଶୁଣାଣି ହେବ ।ଚର୍ଚ୍ଚାରେ ଭୁବନେଶ୍ବରର ଭରତପୁର ଥାନା । ଜଣେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ବାନ୍ଧି ହରଡ଼ଘଣାରେ ପୁଲିସ । ପୁଲିସ ଜାରି କରିଥିବା ପ୍ରେସ ରିଲିଜ ଅନୁସାରେ, ଗତ ୧୫ ତାରିଖ ଭୋର ୩ଟାରେ ଥାନା ଭିତରେ ଅଙ୍କିତା ପ୍ରଧାନ ନାମକ ଯୁବତୀ ଆତଙ୍କ ଖେଳାଇଥିଲେ । ଅଧରାତିରେ ମହିଳା ଅଫିସରଙ୍କୁ ଦୁର୍ବ୍ୟବହାର କରିବା ସହ ଥାନାରେ ହଙ୍ଗାମା କରିଥିଲେ । ଜିନିଷପତ୍ର ଭଙ୍ଗାରୁଜା କରିବା ସହ ଅଫିସରଙ୍କୁ କାମୁଡ଼ି ପକାଇଥିଲେ । ଯେଉଁଥିପାଇଁ ଭରତପୁର ପୁଲିସ ଏକ ମାମଲା ରୁଜୁ କରି ଅଙ୍କିତା ପ୍ରଧାନଙ୍କୁ ଗିରଫ କରି ଜେଲ ପଠାଇଛି ।
ଆଉ ଅଙ୍କିତାଙ୍କ ସହ ଥିବା ମେଜର ଗୁରବଂଶ ସିଂଙ୍କୁ ଥାନାରୁ ବେଲ୍ ଦେଇ ବିଦା କରିଦେଇଛି ପୁଲିସ । ହେଲେ ପୁଲିସ ଘଟଣାକ୍ରମକୁ ଅଲଗା ଦର୍ଶାଇଥିବା ନେଇ ଅଭିଯୋଗ କରିଛନ୍ତି ଗୁରବଂଶ । ସେନା ଅଧିକାରୀ ଏନେଇ ଅଭିଯୋଗ କରିବା ପରେ, କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ସେନା ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ, ଗତ ଶନିବାର ରାତିରେ ମେଜର ଗୁରବଂଶ ସିଂହ ଏବଂ ତାଙ୍କ ବାନ୍ଧବୀ କାରରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ସେମାନଙ୍କ ଗାଡ଼ିକୁ ଅଟକାଇ ଦୁର୍ବ୍ୟବାହର କରିଥିଲେ। ଏହାକୁ ନେଇ ସଂପୃକ୍ତ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିଲେ। ତେବେ ସେଠାରେ ପୁଲିସ ଅଭିଯୋଗ ରଖିବା ବଦଳରେ ସେନା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲା। ଏଭଳିକି ସେନା ଅଧିକାରୀଙ୍କୁ ଲକ୍ଅପରେ ରାତିତମାମ ରଖିଥିବା ଅଭିଯୋଗରେ ଉଲ୍ଲେଖ ରହିଛି।