ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏହି ସମୟରେ ସମସ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧୭ ତାରିଖରେ ଭୁବନେଶ୍ୱର ଆସି ରାଜ୍ୟ ସରକାରଙ୍କର ଜନକଲ୍ୟାଣକାରୀ “ସୁଭଦ୍ରା”ଯୋଜନାର ଶୁଭାରମ୍ଭ ସହ ଅନ୍ୟ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।
ପ୍ରଧାନମନ୍ତ୍ରୀ ସେଦିନ ପୂର୍ବାହ୍ନ ୧୧.୩୫ମିନିଟ୍ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ପୂର୍ବାହ୍ନ ୧୧ଟା ୫୫ମିନଟ୍ ରେ ଜନତା ମଇଦାନଠାରେ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ଅପରାହ୍ନ ୩ଟାସମୟରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଡିଜିପି ଏବଂ ଆଇଜିପିଙ୍କୁ ଆଇନ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଥିବା ବେଳେ ଜିଲ୍ଲାପାଳ,ଖୋର୍ଦ୍ଧାଙ୍କୁ ଅନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।