ସେଲ୍ଫି ଉଠାଇବା ହେଲା କାଳ । ପିକନିକ କରିବାକୁ ଆସିଥିବାବେଳେ ପାଣିରେ ବୁଡି ଚାଲିଗଲା ଜଣେ ଛାତ୍ରଙ୍କ ଜୀବନ । ଅଗ୍ନିଶମ ବାହିନୀ ଦ୍ଵାରା ବହୁ ଖୋଜାଖୋଜି କରି ୨୦ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ବୁଡିଯାଇଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ କାଣ୍ଡିଆ ଜଳପ୍ରପାତକୁ ପିକନିକ ପାଇଁ ଆସିଥିବାବେଳେ ଏହିପରି ଅଘଟଣ ଘଟିଛି । ମୃତ ଛାତ୍ର ଜଣକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ଦେବକାନ୍ତ ନାୟକଙ୍କ ପୁଅ ନିଶିକାନ୍ତ ନାୟକ(୧୭)।ନିଶିକାନ୍ତ ଉପେନ୍ଦ୍ର ସାରଦା ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନର ପ୍ରଥମବର୍ଷ ଛାତ୍ର ବୋଲି ଜଣାପଡିଛି । ସ୍ଥାନୀୟ ଗ୍ରାମର ଜେନିଥ କୋଚିଂ ସେଣ୍ଟରରେ ପାଠ ପଢୁଥିଲେ । ରବିବାର କୋଚିଂ ସେଣ୍ଟର ସାଙ୍ଗମାନଙ୍କ ସହ ପିକନିକ କରୁଥିବାବେଳେ ସେଲ୍ଫି ନେବାବେଳେ ଅସାବଧାନତା କାରଣରୁ ସେ ପାଣିରେ ବୁଡି ନିଖୋଜ ହୋଇ ଯାଇଥିଲେ । ଏନେଇ ଖବରପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଗତକାଲି ଠାରୁ ଜାରି ରଖିଥିଲେ । ତେବେ ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଘଟଣା ଘଟିଥିବା ବେଳେ ସୋମବାର ସକାଳ ପ୍ରାୟ ୮ଟା ପରେ ମୃତଦେହ ପାଣି ଭିତରୁ ଉଦ୍ଧାର ହୋଇଛି । ମୃତଦେହର ଶବ ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲକୁ ପଠାଯାଇଛି। ତେବେ ଏହି ସମ୍ବେଦନଶୀଳ ଘଟଣା ସ୍ଥାନୀୟ ଅଞ୍ଚଳରେ ଭାବଗମ୍ଭିର ପରିବେଶ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି ।