ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ଜୁଲାଇ ପହିଲାରୁ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା (ଦ୍ବିତୀୟ) ଆଜି ଠାରୁ ଆରମ୍ଭ ହେଉଛି ।୬ ଟି ବିଷୟରେ ହେବାକୁ ଥିବା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ୧୧ ଟା ୩୦ ମିନିଟ୍ରେ ଶେଷ ହେବ । କେବଳ ଗଣିତ ପରୀକ୍ଷା ପାଇଁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯାଇଛି ବୋଲି ବୋର୍ଡ ପକ୍ଷରୁ ସମୟ ନିର୍ଘଣ୍ଟ ଜାରି କରାଯାଇଛି । ରାଜ୍ୟ ବିଭିନ୍ନ ଜିଲାରେ ମୋଟ ୯୮ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ୩୨୩୨ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଫର୍ମପୂରଣ କରିଛନ୍ତି। ପରୀକ୍ଷାର୍ଥୀମାନେ ଯେଭଳି ସୁରୁଖୁରୁରେ ପରୀକ୍ଷା ଦେବେ ସେଥି ନିମନ୍ତେ ବୋର୍ଡ କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ତେବେ ଚଳିତ ବାର୍ଷିକ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଏବଂ ପରୀକ୍ଷା ଦେଇପାରି ନଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଦେବେ। ଅନ୍ୟପକ୍ଷରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ନିମନ୍ତେ ୧୦୩ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ରହିଛି। ପ୍ରାୟ ୧୦ ହଜାର ୮୦୯ ପରୀକ୍ଷାର୍ଥୀ ଉକ୍ତ ପରୀକ୍ଷା ଦେବେ।ଏହି ଦୁଇଟି ଯାକ ପରୀକ୍ଷା ପାଇଁ ସମସ୍ତ କେନ୍ଦ୍ରରେ ଗତକାଲି ସୁଦ୍ଧା ପ୍ରଶ୍ନପତ୍ର ଓ ଖାତା ଆଦି ପହଞ୍ଚି ସାରିଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ପରୀକ୍ଷାର୍ଥୀଙ୍କ ସଂଖ୍ୟା କମ୍ ରହିଥିଲେ ମଧ୍ୟ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ଯେପରି କୌଣସି ବିଭ୍ରାଟ ନହୁଏ ସେଥିଲାଗି ସେଣ୍ଟର୍ ସୁପରିଟେଣ୍ଡେଣ୍ଟ୍ମାନଙ୍କୁ ସତର୍କ କରାଇ ଦିଆଯାଇଛି ।
