ହଷ୍ଟେଲରେ ରହୁଥିବା ସ୍କୁଲ ପିଲାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ଆପଣାଇଛନ୍ତି ନୂଆ ପଦକ୍ଷେପ। ଏବେ ରାଜ୍ୟର ସମସ୍ତ ସରକାରୀ ହଷ୍ଟେଲରେ ଅକ୍ସିଲିଆରି ନର୍ସ ଆଣ୍ଡ୍ ମିଡ୍ୱାଇଫ୍ (ଏଏନ୍ଏମ୍) କିମ୍ବା ମହିଳା ବହୁମୁଖୀ ହେଲ୍ଥ ୱାର୍କର ନିୟୋଜିତ ହେବେ । ହଷ୍ଟେଲ ପିଲାଙ୍କର ନିୟମିତ ଭାବେ ସ୍ୱାସ୍ଥ୍ୟ ଯାଞ୍ଚ କରିବେ। ପ୍ରତି ୩୦୦ ପିଲାଙ୍କ ପାଇଁ ଜଣେ ଲେଖାଏଁ ଏଏନ୍ଏମ୍ ନିଯୁକ୍ତି କରାଯିବ । ଗତ ଅଗଷ୍ଟ ୨୧ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚସ୍ତରୀୟ ବୈଠକରେ ସୁପାରିସ ହୋଇଥିବା ନିଷ୍ପତ୍ତିକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଚିଠି ଲେଖାଯାଇଛି।ସ୍ୱାସ୍ଥ୍ୟ ବିଭାଗ ଗଣଶିକ୍ଷା ବିଭାଗ ସହ ଆଲୋଚନା କରି ନିଯୁକ୍ତି ଦେବ । ଏପରିକି ଆବଶ୍ୟକ ସ୍ଥଳେ ଏଥିରେ ବିଳମ୍ବ ହେଲେ ବିଭାଗ ପକ୍ଷରୁ ଅବସରପ୍ରାପ୍ତ ଏଏନ୍ଏମ୍ଙ୍କୁ ଅର୍ଥ ବିଭାଗର ନିୟମ ଅନୁଯାୟୀ ନିଯୁକ୍ତି ଦେବେ ।
