ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନବେଦୀରେ ବିଜେ କରିଛନ୍ତି କୋଟି ଓଡ଼ିଆଙ୍କ ମଉଡ଼ମଣି ଶ୍ରୀଜିଉ । ଦଇତାପତି ସେବାୟତମାନେ ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପରେ ବିଜେ କରାଇଛନ୍ତି । ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି ।ଏଥି ପାଇଁ ଶ୍ରୀଜିଉମାନଙ୍କର ନୀତିକାନ୍ତି ଭୋର୍ରୁ ଆରମ୍ଭ ହୋଇଯାଇଛି । ମହାପ୍ରଭୁଙ୍କ ମଙ୍ଗଳର୍ପଣ ସକାଳ ୫.୩୨ ଆରମ୍ଭ ହୋଇଥିଲା । ଏହା ପରେ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ୫.୪୫ରେ ଆରମ୍ଭ ହୋଇଥିବା ବେଳେ ବଳଭଦ୍ରଙ୍କ ପହଣ୍ଡି ୫.୫୩ରେ ଆରମ୍ଭ ହେଲା । ସେହିପରି ମା ସୁଭଦ୍ରାଙ୍କ ପହଣ୍ଡି ୬.୬ ଏବଂ ଜଗନ୍ନାଥ ମହାପ୍ରଭୁଙ୍କର ପହଣ୍ଡି ୬.୨୨ ମିନିଟରେ ଆରମ୍ଭ ହୋଇଥିଲା ।ସେପଟେ ସ୍ନାନ ପରେ ଜ୍ବରରେ ପୀଡିତ ହେବେ ଶ୍ରୀଜିଉ । ୧୫ ଦିନ ଅଣସର ଘରେ ଚାଲିବ ମହାପ୍ରଭୁଙ୍କ ଉପଚାର । ଜ୍ବରରୁ ଭଲ ହେଲା ପରେ ଭାଇଭଉଣୀଙ୍କୁ ସାଥିରେ ନେଇ ନବଦିନାତ୍ମକ ଯାତ୍ରାରେ ବାହାରି ଆସିବେ କାଳିଆ ସାଆନ୍ତେ ।
