ସ୍ବାମୀଙ୍କ ମୃତଦେହ ଖଣ୍ଡ ଖଣ୍ଡ କରି ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ପ୍ଲାଷ୍ଟର କଲେ ସ୍ତ୍ରୀ

ଉତ୍ତର ପ୍ରଦେଶ ମିରଟରେ ସୌରଭ ରାଜପୁତ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସ୍ତ୍ରୀ ମୁସ୍କାନ ଯେପରି ଭାବେ ପ୍ରେମିକ ସାହିଲ ସହ ମିଶି ସ୍ୱାମୀ ସୌରଭଙ୍କୁ ହତ୍ୟା କଲେ ତାହା ପୋଲିସକୁ ବି ଆଶ୍ଚର୍ଯ୍ୟ କରିଛି । ମୁସ୍କାନ ଓ ତାଙ୍କ ପ୍ରେମିକ କେବଳ ସୌରଭଙ୍କୁ ଛୁରୀ ଭୁସି ହତ୍ୟା କରିନାହାନ୍ତି ବରଂ ଶବକୁ ଖଣ୍ଡ ଖଣ୍ଡ କରି ପ୍ଲାଷ୍ଟିକ୍ ଡ୍ରମରେ ଭର୍ତ୍ତି କରି ସିମେଣ୍ଟ ପକାଇ ଦେଇଥିଲେ । ସୂଚନାମୁତାବକ ମାର୍ଚ୍ଚ ୪ ରାତିରେ ମୁସ୍କାନ ସୌରଭଙ୍କ ଖାଦ୍ୟରେ ନିଶା ଔଷଧ ମିଶାଇ ଦେଇଥିଲେ। ତାକୁ ଖାଇବା ପରେ ସୌରଭ ସଂଜ୍ଞାହୀନ ହୋଇଯାଇଥିଲେ।

ଏହା ପରେ ପ୍ରେମିକ ସାହିଲଙ୍କୁ ମୁସ୍କାନ ନିଜ ଘରକୁ ଡାକିଥିଲେ। ସାହିଲ ସୌରଭଙ୍କ ଛାତିରେ ଛୁରି ଭୁସି ତାଙ୍କ ଗଳା କାଟି ଦେଇଥିଲେ। ଦୁହେଁ ମିଶି ସୌରଭଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଥିଲେ। ପୂର୍ବ ଯୋଜନା ମୁତାବକ ପରଦିନ ଖଣ୍ଡବିଖଣ୍ଡିତ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ଏକ ବଡ଼ ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ଭର୍ତ୍ତି କରି ତା’ ଉପରେ ସିମେଣ୍ଟ ପ୍ଲାଷ୍ଟର କରିଥିଲେ। ଉକ୍ତ ଡ୍ରମ୍‌କୁ ସେମାନେ ଘର ଭିତରେ ଲୁଚାଇ ଦେଇଥିଲେ।ମୁସ୍କାନ ଏଚେ ଚତୁର ଥିଲେ ଯେ ନିଜ ସ୍ୱାମୀକୁ ହତ୍ୟା କରିବା ପୂର୍ବରୁ ପରିବାର ଓ ପଡ଼ୋଶୀଙ୍କୁ ଭ୍ରମରେ ରଖିବା ଆରମ୍ଭ କରିଥିଲେ । ନିଜ ସ୍ୱାମୀ ସହ ବୁଲିବାକୁ ଯାଉଥିବା ସେ ସମସ୍ତଙ୍କୁ କହିଥିଲେ । ଲୋକେ ଭାବୁଥିଲେ ଯେ ମୁସ୍କାନ-ସୌରଭ ସହ ବାହାରକୁ ଯାଇଛି । କେବଳ ଏତିକି ନୁହେଁ ମୁସକାନ ସୌରଭଙ୍କ ମୋବାଇଲ୍ ଫୋନ୍ ମଧ୍ୟ ସାଙ୍ଗରେ ନେଇଗଲା । ହିମାଚଳରେ ଥିବା ବେଳେ ସେ ନିଜେ ତାଙ୍କ ସ୍ୱାମୀଙ୍କ ମୋବାଇଲରୁ ସମ୍ପର୍କୀୟମାନଙ୍କୁ ମେସେଜ୍ ପଠାଉଥିଲେ । ମୁସ୍କାନଙ୍କ ବାପା ପ୍ରମୋଦ ଏବଂ ମାଆ କବିତା କହିଛନ୍ତି ଯେ ତାଙ୍କ ଝିଅର ଆଉ ବଞ୍ଚିବାର ଅଧିକାର ନାହିଁ । ତାକୁ ଫାଶୀ ଦିଆଯିବା ଦରକାର ।

ଅଧିକ ପଢନ୍ତୁ