ସ୍ବାମୀ ଶବ ଛୁଇଁଲେନି, ୪ଦିନ ଧରି ଫ୍ରିଜର୍‌ରେ ବୃଦ୍ଧାଙ୍କ ମୃତଦେହ

ଜଣେ ବୃଦ୍ଧାଙ୍କର ରବିବାରଠାରୁ ମୃତ୍ୟୁ ହେଲାଣି। ଆଜି ପର୍ଯ୍ୟନ୍ତ ତାଙ୍କର ଶବ ସତ୍କାର କରାଯାଇ ପାରିନାହିଁ। ସ୍ବାମୀ ଛୁଇଁବାକୁ ଅରାଜି ଥିବାବେଳେ କାନାଡ଼ାରେ ରହୁଥିବା ପୁଅକୁ ଅପେକ୍ଷା କରାଯାଇଛି। ପୁଅ ପହଞ୍ଚିବା ପରେ ଶବ ସତ୍କାର ହେବ। ଏହି କାରଣରୁ ୪ଦିନ ହେଲା ବୃଦ୍ଧାଙ୍କ ମୃତଦେହ ଫ୍ରିଜର୍‌ରେ ରହିଛି। ମୃତ ବୃଦ୍ଧା ହେଲେ, ବାଲେଶ୍ବର ସହଦେବଖୁଣ୍ଟା ଥାନା ଅରଡ଼ବଜାରର ଛବିରାଣୀ ଦେ (୭୦ବର୍ଷ)। ସୂଚନା ଅନୁସାରେ, ସୋମବାର ୧୦ ତାରିଖ ଭୋର ସମୟରେ ସୃଷ୍ଟିଧର ଦେଙ୍କ ପତ୍ନୀ ଛବିରାଣୀଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ସକାଳୁ ଜଣେ ମହିଳାଙ୍କ ସହ ସୃ​‌ଷ୍ଟିଧର ପହଞ୍ଚି ପତ୍ନୀଙ୍କ ମର ଶରୀରକୁ ଦେଖି ନୀରବରେ ସ୍ଥାନ ଛାଡ଼ି ଥିଲେ। ଏହି ସମୟରେ ନାଟକୀୟ ଦୃଶ୍ୟ ଆରମ୍ଭ ହୋଇଥିଲା। ମହିଳାଙ୍କ ପଡ଼ୋଶୀ ସ୍ୱାମୀ ସୃଷ୍ଟିଧର ଓ ତାଙ୍କ ସହ ଆସିଥିବା ମହିଳାଙ୍କୁ ଅଟକ ରଖି ପତ୍ନୀଙ୍କ ଅନ୍ତିମ ସଂସ୍କାର କରିବାକୁ ଜିଦ୍‌ ଧରିଥିଲେ। ବୃଦ୍ଧ ସୃଷ୍ଟିଧରଙ୍କ ସହ ଆସିଥିବା ମହିଳା ଥାନାରେ ଖବର ଦେବାରୁ ପ୍ରଥମ ଦିନ ପିସିଆର ଭ୍ୟାନରେ ପୁଲିସ ଓ ମଙ୍ଗଳବାର ସହଦେବଖୁଣ୍ଟା ଥାନା ପୁଲିସ ସେଠାରେ ପହଞ୍ଚି ତଦନ୍ତ କରିଥିଲେ। ପୁଅ-ବୋହୂ କାନାଡ଼ାରୁ ଆଗାମୀ ୧୪ ତାରିଖରେ ଫେରିଲେ ଅନ୍ତେଷ୍ଟିକ୍ରିୟା ହେବ ବୋଲି ଗ୍ରାମବାସୀ କହିଛନ୍ତି।ଘଟଣା ଯାହା ବି ହେଉ। ଦିନେ ଘର ସଂସାର ଗଢିଥିଲେ, ସିଏ ଆଜି ମଲା ପରେ ବି ତାଙ୍କୁ ମିଳୁନି ଶାନ୍ତି। ଦାମ୍ପତ୍ୟ କଳି ପଛରେ ଯାହା ବି କାରଣ ଥାଉ, ମୃତ୍ୟୁ ପରେ ବି ପତ୍ନୀଟିଏ ଆଜି କାନ୍ଧ ଖୋଜୁଛି। ମଲା ପରେ ବି ପୁଅର ଫେରିବା ବାଟକୁ ଅନାଇ ରହିଛି ମା’ଟିଏ। ଅପେକ୍ଷା, ପତ୍ନୀଙ୍କୁ ଧରି ବିଦେଶରେ ରହୁଥିବା ପୁଅକୁ। ଯିଏ ଆସିବା ପରେ ହେବ ଅନ୍ତିମ ସତ୍କାର।

ଅଧିକ ପଢନ୍ତୁ

Odisha Darpan Digital