
ନୟାଗଡ଼,(ଓଡ଼ିଶା ଦର୍ପଣ):ପବିତ୍ର ହୋଲି ପର୍ବ ଅବସରରେ ସ୍ମୃତିତୀର୍ଥ ପକ୍ଷରୁ ରଙ୍ଗ-ଫଗୁଣ -୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସାଗର ପୁଷ୍କରିଣୀ କୂଳସ୍ଥିତ ବୁଦ୍ଧ ମଣ୍ଡପରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ଯ ସଭାରେ ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀରୁ ଶତାଧିକ ଦର୍ଶକ ଭରପୂର ଆନନ୍ଦ ଉପଭୋଗ କରିଥିଲେ । ଅନୁଷ୍ଠାନର ସଭାପତି ଡ. ଗୀତାଞ୍ଜଳି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଂପାଦକ ପ୍ରଭାତ କୁମାର ମିଶ୍ର ସଂପାଦକୀୟ ଉପସ୍ଥାପନାରେ ଗତ ବତିଶି ବର୍ଷ ଧରି ସ୍ମୃତିତୀର୍ଥର ଭୂମିକା ବିଷୟରେ ସମ୍ୟକ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସଂସ୍କୃତି ଗବେଷକ ପ୍ରଦୀପ୍ତ କୁମାର ପଟ୍ଟନାୟକ, ବରିଷ୍ଠ ନାଟ୍ୟକାର ରାମଚନ୍ଦ୍ର ମିଶ୍ର, କମ୍ରେଡ ବିଶ୍ଵନାଥ ମହାପାତ୍ର ପ୍ରମୁଖ ଯୋଗଦାନ କରି ସ୍ଵକୀୟ ଭାଷଣ ଉପସ୍ଥାପନ କରିଥିଲେ । ପ୍ରତିବର୍ଷ ପରି ୨୦୨୫ ବର୍ଷ ପାଇଁ ସ୍ମୃତିତୀର୍ଥ ଉପାଧି – ଉପାୟନ ଓ ସମ୍ମାନ ପ୍ରଦାନ କରାଯାଇଥିଲା । ନୟାଗଡ଼ ମୁନିସିପାଲିଟି ପୌରାଧ୍ୟକ୍ଷା ନିରୁପମା ଖଟେଇଙ୍କୁ ଗଡ଼ଗୌରବ ସମ୍ମାନ, ସାହିତ୍ୟିକ ଲଳିତ ମୋହନ ମିଶ୍ରଙ୍କୁ ଗଡ଼ ଭାରତୀ ସମ୍ମାନ, ସଙ୍ଗୀତଜ୍ଞ ପ୍ରଶାନ୍ତ କୁମାର ଦାଶଙ୍କୁ ଗଡ଼ ସାରସ ସମ୍ମାନ, ସମାଜସେବୀ ଦାମୋଦର ସାହୁଙ୍କୁ ଗଡ଼ ସେବକ ସମ୍ମାନ ତଥା ଶିକ୍ଷାବିତ୍ ନୀଳିମା ନନ୍ଦଙ୍କୁ ଗଡ଼ ଧରିତ୍ରୀ -୨୦୨୫ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଏ ଅବସରରେ ଆୟୋଜିତ କବିତା ଆସରରେ ସଂଯୋଜକ ଭାବେ କ୍ଷଣପ୍ରଭା କର, ହରପ୍ରିୟା ଦ୍ବିବେଦୀ ଓ ଶ୍ରାବଣୀ ନାଥ ନିଜର କଳାପାଟବତା ପ୍ରଦର୍ଶନ କରିଥିଲେ । ବିଶିଷ୍ଟ ଅଭିନେତା ଦେବେନ୍ଦ୍ର ପ୍ରସାଦ ପରମଗୁରୁ ଓ ଗାଳ୍ପିକ ଶୁଭ୍ରାଂଶୁ ବିଶ୍ବାଳଙ୍କ ମଞ୍ଚ ପ୍ରଯୋଜନାରେ ଅନୁଷ୍ଠିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ସଂପାଦକ ଗୋପୀନାଥ ସେଠୀ ପରିଚାଳନା କରିଥିଲେ । ଏ ଅବସରରେ ବିଭିନ୍ନ ନୃତ୍ୟଶିଳ୍ପୀ ଓ କଣ୍ଠଶିଳ୍ପୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଉପସଭାପତି ନିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।