ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଦୁଇ ଅଭିଯୁକ୍ତଙ୍କର ଆଜି ସରୁଛି ରିମାଣ୍ଡ ଅବଧି । ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ଶିକ୍ଷକ ନେତା ବିଜୟ କୁମାର ମିଶ୍ରଙ୍କୁ କୋର୍ଟରେ ହାଜର କରିବା ପରେ ଚୌଦ୍ଵାର ମଣ୍ଡଳ କାରାଗାର ପଠାଇବ କ୍ରାଇମବ୍ରାଞ୍ଚ । ଏହି ଦୁଇ ଦିନିଆ ରିମାଣ୍ଡରେ ଉଭୟଙ୍କ ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମ୍ ବ୍ରାଞ୍ଚ । କଟକରୁ ପ୍ରଶ୍ନପତ୍ର ଚୋରି ହେବା ପରେ ଜଣେ ଡ୍ରାଇଭରଙ୍କ ଜରିଆରେ ନୟାଗଡ଼ ପଠା ଯାଇଥିଲା । ପେନ୍ ଡ୍ରାଇଭ୍ ଓ ହାର୍ଡକପି ନୟାଗଡ ପଠେଇଥିଲା ଅଭିଯୁକ୍ତ ଜିତନ । ଏଥିପାଇଁ ସେ ୧୫୦୦ ଟଙ୍କାରେ ଡ଼୍ରାଇଭରକୁ ନିୟୋଜିତ କରିଥିଲା । ଗିରଫ ହୋଇଥିବା ଅଭିଯୁକ୍ତ ବିଜୟ ମିଶ୍ରଙ୍କ ସମ୍ପର୍କୀୟଙ୍କ ମାଧ୍ୟମରେ ଏହି ପ୍ରଶ୍ନପତ୍ରକୁ ନୟାଗଡ ପଠେଇଥିଲା । ଆଉ ସେଠାରୁ ଅଭିଯୁକ୍ତ ଶିକ୍ଷକ ନେତା ବିଜୟ ମିଶ୍ର OTET ପ୍ରଶ୍ନପତ୍ର ପେନ ଡ୍ରାଇଭ୍ ଓ ହାର୍ଡକପି ସଂଗ୍ରହ କରିଥିଲା । ଏ ବାବଦରେ ସେ ଜିତନକୁ ପଇସା ପୈଠ କରିଥିଲା । ଏହି ମାମଲାରେ ଡ଼୍ରାଇଭରକୁ ଜେରା କରିଛି କ୍ରାଇମବ୍ରାଞ୍ଚ୍ । ଏହା ସହିତ ଅଭିଯୁକ୍ତ ବିଜୟଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଜେରା କରିଛି କ୍ରାଇମବ୍ରାଞ୍ଚ୍ । ବୋର୍ଡର ମହିଳା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ ଡାକି ଜେରା କରିଛି କ୍ରାଇମ୍ ବ୍ରାଞ୍ଚ ଟିମ୍ । ବିଜୟ ମିଶ୍ର କେତେ ଜଣ ଶିକ୍ଷକଙ୍କୁ ପ୍ରଶ୍ନ ପତ୍ର ବାଣ୍ଟି ଥିଲେ, ସେମାନଙ୍କ ଠାରୁ କେତେ ଟଙ୍କା ଲେଖାଏଁ ଆଦାୟ କରିଥିଲେ ସେ ସମ୍ପର୍କରେ ମଧ୍ୟ ସୁରାକ ପାଇଛି ତଦନ୍ତକରୀ ଟିମ୍ । ଗତକାଲି କ୍ରାଇମବ୍ରାଞ୍ଚର ଏକ ଟିମ ପୁଣି ଥରେ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଯାଇ ତନାଘନା ତଦନ୍ତ କରିଥିବା ଜଣାପଡିଛି।
ବୋର୍ଡ ଅଫିସରେ ଉପ ସଭାପତିଙ୍କ ଚ୍ୟାମ୍ୱର୍, ସିକ୍ରେଟ ସେକ୍ସନ, ପରୀକ୍ଷା ନିୟନ୍ତ୍ରକଙ୍କ ପ୍ରକୋଷ୍ଠ ଆଦି ଯାଞ୍ଚ କରିଛି କ୍ରାଇମ୍ ବ୍ରାଞ୍ଚ ଟିମ୍ ।