ହଂକଂର ବହୁତଳ ଆପାର୍ଟମେଣ୍ଟରେ ଭୀଷଣ ଅଗ୍ନିକାଣ୍ଡ,୪୪ ମୃତ

ହଂକଂ ତାଇ-ପୋର ଏକ ରେସିଡେନ୍ସିଆଲ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ । ୪୪ଜଣ ଜୀଅନ୍ତା ଜଳିଯାଇଥିବା ବେଳେ ୩୦୦ଶହରୁ ଅଧିକ ନିଖୋଜ ଅଛନ୍ତି । ନିଆଁ ଲିଭାଇବାକୁ ୧୪୦ ଅଗ୍ନିଶମ ଗାଡ଼ି ଲାଗିଥିବା ବେଳେ, ୬୦ରୁ ଅଧିକ ଆମ୍ବୁଲାନ୍ସ ମୁତୟନ ହୋଇଛନ୍ତି । ପ୍ରାୟ ୯ଶହ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହା ହଂକଂର ଅନ୍ୟତମ ବଡ଼ ଅଗ୍ନିଶମ ଅଭିଯାନ ବୋଲି କୁହାଯାଉଛି । ବୁଧବାର ଅପରାହ୍ନରୁ ନିଆଁ ଲାଗିଥିବା ବେଳେ ଏପର୍ଯ୍ୟନ୍ତ ନିଆଁ ନିୟନ୍ତ୍ରଣକୁ ଆସିନାହିଁ । ଅଟ୍ଟାଳିକାଗୁଡ଼ିକର ବାହାରେ ବ୍ୟାପକ ବାଉଁଶ ଓ ପ୍ଲାଷ୍ଟିକ୍ ଜାଲ ଲଗାଯାଇଥିଲା । ଯାହା ନିଆଁକୁ ଅଧିକ ବ୍ୟାପିବାରେ ସହାୟକ ହୋଇଥିଲା । କୋଠାଗୁଡ଼ିକ ଅତି ପାଖାପାଖି ଥିବାରୁ ନିଆଁ ସହଜରେ ଗୋଟିଏ ବ୍ଳକରୁ ଅନ୍ୟ ବ୍ଳକକୁ ବ୍ୟାପିଥିଲା । ଦଶନ୍ଧି ପରେ ହଂକଂର ସବୁଠୁ ଭୟଙ୍କର ନିଆଁ ଲାଗିଥିବା କୁହାଯାଉଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସରକାର ଏକ ହାଉସିଂ ଟାସ୍କ ଫୋର୍ସ ଗଠନ କରି ବାସହରା ପରିବାରଙ୍କ ପାଇଁ ୧,୪୦୦ଟି ଘରର ବ୍ୟବସ୍ଥା କରିଛନ୍ତି। ଟ୍ରାଫିକ୍ ସମସ୍ୟା ଯୋଗୁଁ ୬ଟି ସ୍କୁଲକୁ ବନ୍ଦ ରଖାଯାଇଛି । ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ।

ଅଧିକ ପଢନ୍ତୁ