ରାଜ୍ୟରେ ଆରମ୍ଭ ହେଲା ଗ୍ରନ୍ଥାଗାର ଅଭିଯାନ। ସୋମବାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଡକ୍ଟର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ବିଶ୍ବସ୍ତରୀୟ ଲାଇବ୍ରେରୀରେ ପରିଣତ କରିବାକୁ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ଖଣି ନିଗମ (ଓଏମସି)ର ମିଳିତ ଆନୁକୁଲ୍ୟରେ ଗ୍ରନ୍ଥାଳୟକୁ ରୂପାନ୍ତରିକରଣ କରିବା ପାଇଁ ଓଡ଼ିଶା ସରକାର ଏହି ପ୍ରୟାସ ଆରମ୍ଭ କରିଛନ୍ତି । ଏହି ରୂପାନ୍ତରଣ କାର୍ଯ୍ୟର ଶିଳାନ୍ୟାସ ତଥା ନୂତନ ରୂପେ ଭୁବନେଶ୍ବରସ୍ଥିତ ବାପୁଜୀନଗର ଠାରେ ପ୍ରସ୍ତୁତ ହୋଇଥିବା ସନ୍ଥକବି ଭୀମଭୋଇ ପାଠାଗାରର ଉଦଘାଟନୀ ଉତ୍ସବ ମୁଖ୍ୟମନ୍ତ୍ରୀଙ୍କ ଦ୍ବରା ଉଦଘାଟିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ସହିତ ରାଜ୍ୟରେ ଗ୍ରନ୍ଥାଗାର ଅଭିଯାନ ଆରମ୍ଭ ହେଲା। ରାଜ୍ୟର ସବୁ ସ୍ଥାନରେ, ଭୁବନେଶ୍ଵର ର ପ୍ରତ୍ୟେକ ଜୋନରେ ଗ୍ରନ୍ଥାଗାର ପ୍ରତିଷ୍ଠା କରାଯିବ।ତେବେ ଅଭିଯାନ ଅନୁଯାୟୀ, ଏଠାରେ ଅତ୍ୟାଧୁନିକ ଭିତ୍ତିଭୂମି ଜରିଆରେ ଏହି ଗ୍ରନ୍ଥାଳୟର ବିକାଶ କରି ଏହାକୁ ଆନ୍ତର୍ଜାତୀୟ ମାନଦଣ୍ଡରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଠାରେ ଏକ ଆହାର କେନ୍ଦ୍ର ଏବଂ ମିଶନ ଶକ୍ତି କାଫେର ମଧ୍ୟ ଖୋଲିବ ।
ଏପରିକି ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ନୂତନ ଭାବରେ ପରିକଳ୍ପନା କରାଯାଇଥିବା ଏହି ଲାଇବ୍ରେରୀରେ ଥିବା ସମସ୍ତ ପୁସ୍ତକଗୁଡ଼ିକର ଡିଜିଟାଇଜେସନ୍ ପାଇଁ ମଧ୍ୟ ଯୋଜନା ରହିଛି ଯାହାଦ୍ଵାରା ଜଣେ ଯେକୌଣସି ସମୟରେ ନିଜ ମୋବାଇଲ ମାଧ୍ୟମରେ ଏଠାରେ ଥିବା ବହି ଗୁଡ଼ିକୁ ପଢ଼ିପାରିବ। ଏଥି ସହିତ ପ୍ରାୟ ୫୦୦ ଛାତ୍ରଛାତ୍ରୀ ଦୈନିକ ଉପସ୍ଥିତ ରହି ପୁସ୍ତକ ଅଧ୍ୟୟନ କରିବାର ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି ।ଓଡ଼ିଶାର ସାହିତ୍ୟିକ ଏବଂ ସାଂସ୍କୃତିକ ଐତିହ୍ୟ ପାଇଁ ଜଣାଶୁଣା ଏହି ଗ୍ରନ୍ଥାଗାରର ଉପଲବ୍ଧତା ଏବଂ ଯୁବଗୋଷ୍ଠୀକୁ ପୁସ୍ତକ ପଠନ ପାଇଁ ଅଧିକ ପ୍ରେରଣା ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଏହି ବ୍ୟାପକ ନବୀକରଣ ପ୍ରକଳ୍ପକୁ ହାତକୁ ନେଇଛନ୍ତି।