ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ଖୁବ୍ ଶୀଘ୍ର ହଷ୍ଟେଲରେ ରହୁଥିବା ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ‘ଡିଜିଟାଲ୍ ହେଲଥ୍ କାର୍ଡ’ ବଣ୍ଟନ ଆରମ୍ଭ କରିବେ। ଉଲ୍ଲେଖଯୋଗ୍ୟ ଯେ, ଗତ ଦୁଇ ଦିନ ପୂର୍ବେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ବାଲିଯୋଡି ୟୁଜିୟୁପି ସ୍କୁଲ ହଷ୍ଟେଲ ଛାତ୍ରଙ୍କ ମୁଣ୍ଡରେ ପୋକ ଦେଖିବାକୁ ମିଳିଛି । ଛାତ୍ରଙ୍କୁ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ସ୍କୁଲ ଅଧ୍ୟକ୍ଷା । ପରିତାପର ବିଷୟ ଛାତ୍ରଟିର ମୁଣ୍ଡରେ ପ୍ରଥମେ କ୍ଷତ ହୋଇଥିଲା, ପରେ ପରେ ତାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଠିକ୍ ସେ ଦେଖି ନଥିଲେ । ଯାହାଫଳରେ ସ୍କୁଲ କର୍ତୃପକ୍ଷଙ୍କ ଦାୟିତ୍ବହୀନତା ଯୋଗୁଁ ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସିଥିଲା । ତେବେ ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କର ଦାୟିତ୍ଵ କିଭଳି ନେଉଥିଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଅନ୍ୟପକ୍ଷରେ ଛୁଆଟିଏ ମୁଣ୍ଡରେ କ୍ଷତ ହୋଇ ପରେ ଛୁଆର ମୁଣ୍ଡରୁ ପୋକ ବାହାରିଲାଣି, ତଥାପି ଅଭିଭାବକଙ୍କୁ ଜଣାଇନଥିଲେ ସ୍କୁଲ କର୍ତ୍ତୃପକ୍ଷ ।
ତେବେ ସରକାରଙ୍କ ଡିଜିଟାଲ ହେଲଥ କାର୍ଡ ବ୍ୟବସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିହେବ । ଏହି ପଦକ୍ଷେପ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ବିକଶିତ କରାଯାଉଛି ଏବଂ ଏହା ରାଜ୍ୟ ସାରା ଛାତ୍ରାବାସ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ ପ୍ରକ୍ରିୟାକୁ ସୁଗମ କରିବ ବୋଲି ଆଶା କରାଯାଉଛି।ହଷ୍ଟେଲରେ ରହୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଏକ ଡିଜିଟାଲ୍ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ। ଏହି କାର୍ଡଗୁଡ଼ିକରେ ବିସ୍ତୃତ ସ୍ୱାସ୍ଥ୍ୟ ଇତିହାସ ରହିବ, ଯାହା ସମୟାନୁସାରେ ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସାରେ ସାହାଯ୍ୟ କରିବ। ଯେକୌଣସି ସ୍ୱାସ୍ଥ୍ୟ ସମସ୍ୟା ରେକର୍ଡ କରାଯିବ, ଯାହା ବିଭାଗକୁ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ପଦକ୍ଷେପ ନେବାକୁ ସକ୍ଷମ କରିବ ବୋଲି ମନ୍ତ୍ରୀ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ କହିଛନ୍ତି।