ଓ୍ବାୟନାଡ ଭୂସ୍ଖଳନରେ ବର୍ତ୍ତିଯାଇଥିବା ପୀଡିତଙ୍କ ମୁହଁରେ ବିଭୀଷିକାର ଚିତ୍ର । ମରଣ ମୁହଁରୁ ଜୀବନ ବଞ୍ଚାଇଥିବା ଚୁରାଲମାଲ ଗାଁର ସୁଜାତା ଆନିନଚିରା ବଖାଣିଛନ୍ତି ସେ ଦିନ କାଳରାତ୍ରୀର କାହାଣୀ । ଚୁରାଳମାଳାରେ ଥିବା ନିଜର ଘର ଭୁଶୁଡ଼ି ପଡ଼ିବା ପରେ କୌଣସି ପ୍ରକାରେ ତା’ର ଭଗ୍ନାବଶେଷରୁ ବାହାରିବା ପରେ ତିନିତିନିଟା ଜଙ୍ଗଲୀ ହାତୀ ସହ ସେମାନଙ୍କୁ ରାତି କାଟିବାକୁ ପଡ଼ିଥିଲା କିନ୍ତୁ ହାତୀମାନେ ତାଙ୍କର କିଛି କ୍ଷତି କରି ନ ଥିଲେ। ଭୂସ୍ଖଳନରେ ଭୁଶୁଡ଼ି ପଡ଼ିଥିବା ନିଜ ଘରୁ ବାହାରିବା ପରେ ସୁରକ୍ଷିତ ସ୍ଥାନ ଖୋଜିବା ପାଇଁ ସୁଜାତା ଓ ତାଙ୍କ ପରିବାର ନିକଟସ୍ଥ ଛୋଟ ପାହାଡ଼ ଉପରକୁ ଚଢ଼ି ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ସେମାନଙ୍କଠାରୁ ମାତ୍ର କେଇ ମିଟର ଦୂରରେ ୩ଟି ବଣୁଆ ହାତୀ ଛିଡ଼ା ହୋଇଥିଲେ । ଜୀବନ ଓ ମୃତ୍ୟୁର ସେହି ଘଡ଼ିସନ୍ଧି ମୂହୁର୍ତ୍ତରେ ଅନ୍ୟ ଉପାୟ ନଥିବାରୁ ହାତୀଙ୍କ ସହ ରାତି ବିତାଇବାକୁ ବାଧ୍ୟ ହୋଇଥିଲେ । ପଶୁଟି ବି ଭୟଭୀତ ମନେ ହେଉଥିଲା।
ମୁଁ ହାତୀକୁ ପ୍ରାର୍ଥନା କରି କହିଥିଲି ଯେ ଆମେ ଏକ ଭୟଙ୍କର ବିପର୍ଯ୍ୟୟରୁ ବଞ୍ଚି ଆସିଛୁ, ଦୟାକରି ଆମର କିଛି କ୍ଷତି କରିବ ନାହିଁ ବୋଲି ରିଲିଫ୍ କ୍ୟାମ୍ପରେ ସୁଜାତା କହିଛନ୍ତି। ତାଙ୍କୁ ଓ ତାଙ୍କ ପରିବାରକୁ ସାରା ରାତି ହାତୀ ସହ ବିତାଇବାକୁ ହୋଇଥିଲା। ସୁଜାତା କହିଛନ୍ତି, ଆମେ ଦନ୍ତା ଗୋଡ଼ର ଅତି ନିକଟରେ ଥିଲୁ, କିନ୍ତୁ ସେ ଆମର ଦୁଃଖ ବୁଝିପାରୁଥିଲା। ସକାଳ ୬ଟା ପର୍ଯ୍ୟନ୍ତ ଆମେ ସେଠାରେ ରହିଲୁ ଏବଂ ଉଦ୍ଧାରକାରୀ ଦଳ ଆମକୁ ଉଦ୍ଧାର କରିବା ପର୍ଯ୍ୟନ୍ତ ହାତୀମାନେ ପାଖରେ ଠିଆ ହୋଇଥିଲେ। ସେ ଆହୁରି କହିଛନ୍ତି ଯେ, ସୋମବାର ରାତିରେ ପ୍ରବଳ ବର୍ଷା ଚାଲିଥିବାବେଳେ ପ୍ରାୟ ସାଢ଼େ ୧ଟାରେ ଆମେ ଭୟଙ୍କର ଶବ୍ଦ ଶୁଣିଲୁ । ଏହାପରେ ପାଣି ଆମ ଘରକୁ ପଶୁଥିବା ଦେଖିଲୁ । କେଇ ମିନିଟ୍ ମଧ୍ୟରେ ଭୂସ୍ଖଳନ ଦ୍ୱାରା ବଡ଼ କାଠଗଣ୍ଡି ବୋହି ଆସି ଆମ କାନ୍ଥରେ ବାଡ଼େଇହେଲା । ତାଙ୍କ ଘରର ଛାତ ଭୁଶୁଡି ଯିବା ସହିତ ଝିଅ ଆହତ ହୋଇଥିଲେ । କୌଣସି ମତେ ସେମାନେ ଘରୁ ବାହାରି ଯାଇଥିଲେ ବୋଲି କହିଛନ୍ତି ।