ହୀରାକୁଦରେ ୪ଟି ଗେଟ୍ ବନ୍ଦ, ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ

କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ବନ୍ଦ ହେଲା ହୀରାକୁଦ ଡ୍ୟାମର ୪ ଗେଟ । ଏବେ ୨୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।ଏଥିଭିତରୁ ବାମ ପଟେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଖୋଲାଯାଇଛି।ସୂଚନାଯୋଗ୍ୟ, ଗତକାଲି ଅଧିକ ଜଳ ପ୍ରବେଶକୁ ଦୃଷ୍ଟିରେ ରଖି ଶୁକ୍ରବାର ୨ଟି ପର୍ଯ୍ୟାୟରେ ହୀରାକୁଦର ୮ଟି ଗେଟ୍‌ ଖୋଲାଯାଇଥିଲା। ଏଥିସହିତ ମୋଟ ଖୋଲା ଯାଇଥିବା ଗେଟ୍‌ ସଂଖ୍ୟା ୨୪କୁ ବୃଦ୍ଧି ପାଇଥିଲା। ଗତ ୩ ଦିନ ଧରି ଉପର ମୁଣ୍ଡରେ ବର୍ଷା ଫଳରେ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଥିଲା। ଶୁକ୍ରବାର ସକାଳ ୮ଟା ବେଳକୁ ହୀରାକୁଦକୁ ହାରାହାରି ୨ ଲକ୍ଷ ୯୩ ହଜାର ୫୧୨ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା। ତେଣୁ ଜଳସ୍ତର ବଜାୟ ରଖିବାକୁ ସକାଳ ୯ଟାରେ ୪ଟି ଓ ଦିନ ୨ଟାରେ ଆଉ ୪ଟି ଗେଟ୍ ଖୋଲା ଯାଇଥିଲା। ଫଳରେ ହୀରାକୁଦ ବାମପାର୍ଶ୍ବର ୧୬ ଓ ଡାହାଣ ପାର୍ଶ୍ବର ୮ଟିକୁ ମିଶାଇ ମୋଟ ୨୪ଟି ସ୍ଲୁଇସ୍‌ ଗେଟ୍‌ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସିତ ହେଉଥିଲା।ଏପଟେ ସମ୍ବଲପୁର -ସୁବର୍ଣ୍ଣପୁର ରାସ୍ତାରେ ୩ ଫୁଟର ପାଣି । ବୁଡ଼ିଲା ସମ୍ବଲପୁର ଗୁଣ୍ଡେରପୁର ବ୍ରିଜ । ସମ୍ବଲପୁର ସୁବର୍ଣ୍ଣପୁର ଓ ବୌଦ୍ଧ ମୁଖ୍ୟ ରାସ୍ତାରେ ମାଡ଼ୁଛି ମହାନଦୀ ପାଣି । ଫଳରେ ବିଭିନ୍ନ ସ୍ଥାନକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ହୀରାକୁଦର ୨୦ଟି ଗେଟ୍ ଖୋଲିବା ପରେ ଅନେକ ତଳିଆ ଅଞ୍ଚଳରେ ପାଣି ପଶିଛି । ସମ୍ବଲପୁର ଜିଲ୍ଲା ମାଳତୀ ଗୁଣ୍ଡେରପୁର ବ୍ରିଜରେ ୩ ଫୁଟର ପାଣି ଚାଲିଛି ।

ଅଧିକ ପଢନ୍ତୁ