ଇଂଲଣ୍ଡ ବିପକ୍ଷ ଲିଡସ ଟେଷ୍ଟରେ କାହିଁକି ହାରିଲା ଭାରତ । ଗିଲ ବାହିନୀର ପରାଜୟ ପଛରେ ୫ ବଡ଼ କାରଣ । କ୍ରିକେଟ ବିଶାରଦଙ୍କ ଅନୁସାରେ ଦଳ ହାରିବାର ପ୍ରଥମ କାରଣ ହେଉଛି ଭାରତର ଖରାପ ଫିଲ୍ଡିଂ ଓ ଡ୍ରପ୍ କ୍ୟାଚ୍ । ମ୍ୟାଚରେ ୯ଟି କ୍ୟାଚ ଡ୍ରପ୍ କରିଥିଲେ ଭାରତୀୟ ଖେଳାଳି ।ମଧ୍ୟକ୍ରମ ବ୍ୟାଟିଂରେ ବିଫଳତା ଦଳ ପରାଜୟର ପ୍ରମୁଖ କାରଣ । ସେହିଭଳି ହାରିବା ପଛରେ ଭୁଲ ଖେଳାଳି ଚୟନ ଓ ରଣନୀତିକୁ ଦାୟୀ କରିଛନ୍ତି କ୍ରିକେଟ୍ ବିଶାରଦ । ଭାରତ ହାରିବାର ଆଉ ଏକ କାରଣ ଇଂଲଣ୍ଡର ଆକ୍ରମଣାତ୍ମକ ବ୍ୟାଟିଂ । ବେନ୍ ଡକେଟ ୧୪୯ ରନ୍ ର ବିସ୍ଫୋରକ ଇନିଂସ ଖେଳିଥିଲେ । ସେହିଭଳି ଜ୍ୟାକ କ୍ରଲେ ୬୫ ଓ ଜୋ ରୁଟ ୫୩ ରନ୍ କରିଥିଲେ । ଭାରତୀୟ ବୋଲରଙ୍କୁ ଚାପରେ ପକାଇଥିଲା ଡକେଟ୍ ଓ କ୍ରଲେଙ୍କ ୧୮୮ ରନର ପାର୍ଟନରସିପ୍ ।
ପ୍ରଥମ ମ୍ୟାଚରେ ବିଫଳତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଧିନାୟକ ଶୁବମନ ଗିଲ । କହିଛନ୍ତି ଖରାପ ଫିଲ୍ଡିଂ ଯୋଗୁ ଭାରତ ହାରିଲା । ସେ ଆହୁରି କହିଛନ୍ତି ଯେ, ମୋତେ ମୋ ଟିମ ଉପରେ ଗର୍ବ ରହିଛି ଏବଂ ଓଭରଅଲ ଏହା ଭଲ ପ୍ରୟାସ ଥିଲା। କାଲି ଆମେ ଭାବୁଥିଲୁ ଯେ, ଆମେ ୪୩୦ ରନ କରି ଇନିଂସକୁ ନିଜ ନାଁ ରେ କରିଦେବୁ। ହେଲେ ଦୁର୍ଭାଗ୍ୟବଶତଃ ଆମେ ନିଜର ଶେଷ ୬ ୱିକେଟ ମାତ୍ର ୨୦ରୁ ୨୫ ରନ କରି ହରାଇଦେଇଛୁ, ଯାହା ଭଲ ସଂକେତ ନୁହେଁ। ଆଜି ବି ଭଲ ଓପନିଂ ପାର୍ଟନରସିପ ପରେ ଆମକୁ ଲାଗୁଥିଲା ଜିତିବୁ। ହେଲେ ଫଳାଫଳ ଆମ ପକ୍ଷରେ ନଥିଲା।୫ ୱିକେଟରେ ଲିଡସ ଟେଷ୍ଟରେ ବିଜୟ ସହିତ ୫ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଇଂଲଣ୍ଡ ବାହିନୀ ।