୧୦୦ ଦିନରେ ସଫଳତା ଅପେକ୍ଷା ବିଫଳତା ତାଲିକା ଲମ୍ବା 

ଅସ୍ମିତା ଓ ବିକାଶର ନାରା ଦେଇ ରାଜ୍ୟରେ ଶାସନକୁ ଆସିଥିବା ବିଜେପି ସରକାର ଏକ ବିଫଳ ଓ ପ୍ରତାରଣାର ସରକାର ବୋଲି ଆଜି ଶଙ୍ଖଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି । ବିଜେପିର ଏହି ୧୦୦ ଦିନ ସରକାରରେ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡିବା ସହ ସାଧାରଣ ଲୋକଙ୍କ ଜୀବନଯାପନ ଦୁର୍ବିସହ ହୋଇଯାଇଛି । ଅସ୍ମିତା ନାଁରେ ସେମାନେ ରାଜ୍ୟ ଶାସନର ଦୁଇ ମୁଖ୍ୟ ପଦ ଯଥା ଡିଜିପି ଓ ମୁଖ୍ୟ ଶାସନ ସଚିବ ଦୁଇ ଅଣଓଡିଆ ଅଫିସରଙ୍କ ହାତକୁ ଟେକି ଦେଇଛନ୍ତି । ଯାହା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ । ତେବେ ଏହି ସରକାର ସମୟରେ ଓଡ଼ିଶାର ବିକାଶ ଦୁଇ ପାଦ ପଛକୁ ଯିବ ବୋଲି ବିଜେଡି ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ଏହି ୧୦୦ ଦିନରେ ସଫଳତା ଅପେକ୍ଷା ବିଫଳତା ତାଲିକା ଲମ୍ବା ବୋଲି କହି ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।

ସେ କହିଛନ୍ତି, ଗତ ନିର୍ବାଚନରେ ଭାଜପା ତା’ର ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଯେ, ବାର୍ଦ୍ଧକ୍ୟ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି କରିବ କିନ୍ତୁ ରାଜ୍ୟ ବଜେଟରେ କେବଳ ୮୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ମାସିକ ଭତ୍ତାକୁ ୩୫୦୦ ଟଙ୍କାକୁ ବୃଦ୍ଧି କରା ଯାଇଛି। ତେଣୁ ରାଜ୍ୟର ୮୦ ଭାଗ ଭତ୍ତାଧାରୀ ରାଜ୍ୟ ସରକାରଙ୍କ ପ୍ରବଞ୍ଚନାର ଶିକାର ହୋଇଛନ୍ତି। ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ଭାଜପା ରାଜ୍ୟରେ ଓଡ଼ିଆଙ୍କୁ ନ୍ୟାୟ ଦେବାରେ ବିଫଳ ହେଉଛି। ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡିଶାର ବିକାଶ ଦେଶର ଅନ୍ୟ ପ୍ରମୁଖ ରାଜ୍ୟମାନଙ୍କଠାରୁ ସର୍ବାଧିକ ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ତାର ୱାର୍କିଂ ପେପର ରିପୋର୍ଟରେ ପ୍ରକାଶ କରିଛି । ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟ ଶାସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ରାଜ୍ୟର ବିକାଶ କିଭଳି ଶିଖରରେ ପହଞ୍ଚିଥିଲା । କିନ୍ତୁ ଏବେର ମୋହନ ସରକାର ଏକ ୟୁ-ଟର୍ଣ୍ଣ ସରକାର । ନିଷ୍ପତ୍ତି ଘୋଷଣା କରିବା ପରେ ପୁଣି ପରିବର୍ତ୍ତନ କରୁଛନ୍ତି ।

ଅଧିକ ପଢନ୍ତୁ