୧୦ ଟଙ୍କା ଭଡା ପାଇଁ ମାନବିକତା ଭୁଲିଗଲେ ଲକ୍ଷ୍ମୀ ବସ୍ କଣ୍ଡକ୍ଟର

ମାନବିକତା ଭୁଲିଗଲେ ବସ୍ କଣ୍ଡକ୍ଟର । ୧୦ ଟଙ୍କା ଭଡା ଦେଲେନି ବୋଲି ଦୁଇ ନାବାଳକ ଭାଇଙ୍କୁ ୨୫ କିଲୋମିଟର ବୁଲାଇଲା ଲକ୍ଷ୍ମୀ ବସ୍ । ୨ ଘଣ୍ଟା ପରେ ବସକୁ ଅଟକାଇ ଦୁଇ ଭାଇଙ୍କୁ ଉଦ୍ଧାର କଲେ ପରିବାରବର୍ଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ବେତନଟୀ ବ୍ଲକର ବୈଶିଙ୍ଗା ବଜାରରେ । ବୈଶିଙ୍ଗା ଗାଁର ସରୋଜ ପୁଥାଳଙ୍କ ନାବାଳକ ପୁଅ ପୀୟୂଷ ଓ ନଡ଼ପୁର ଗାଁର ବ୍ରଜମୋହନ ବେହେରାଙ୍କ ପୁଅ ରୋହିତ ରବିବାର ଅପରାହ୍ଣରେ ବୈଶିଙ୍ଗା ଆସିବା ପାଇଁ ଅପେକ୍ଷା କରିଥିଲେ । ନଡ଼ପୁର ଗାଁ ଛକରେ ଲକ୍ଷ୍ମୀ ବସ୍‌ରେ ଚଢ଼ିଥିଲେ । ତେବେ ଦୁଇ ଭାଇ ବସରେ ଉଠିବା ସମୟରେ କଣ୍ଡକ୍ଟର ପ୍ରତାପ ବଇଠାଙ୍କୁ କହିଥିଲେ କି ତାଙ୍କ ପାଖରେ ଭଡ଼ା ଦେବାପାଇଁ ୧୦ଟଙ୍କା ନାହିଁ । ବୈଶିଙ୍ଗା ବସଷ୍ଟାଣ୍ଡରେ ତାଙ୍କ ବାପା ସରୋଜ ଭଡ଼ା ଦେବେ ବୋଲି କହିଥିଲେ । କିନ୍ତୁ ବୈଶିଙ୍ଗା ପହଞ୍ଚିବା ପରେ ବସଷ୍ଟାଣ୍ଡରେ ସରୋଜ ନଥିବାରୁ ଦୁଇ ଭାଇ ୧୦ ଟଙ୍କା ଦେବାରେ ଅସମର୍ଥ ହୋଇଥିଲେ । କଣ୍ଡକ୍ଟରକୁ ବସରୁ ଓହ୍ଲାଇ ଦେବାକୁ ଅନୁରୋଧ କରିଥିଲେ । ହେଲେ ମାନବିକତା ଭୁଲି ଯାଇଥିଲେ ଲକ୍ଷ୍ମୀ ବସ୍ କଣ୍ଡକ୍ଟର ପ୍ରତାପ । ବସର ଲାଷ୍ଟ ଷ୍ଟପେଜ କଲମା ପର୍ଯ୍ୟନ୍ତ ନେଇଯାଇଥିଲେ । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ।

ଅଧିକ ପଢନ୍ତୁ