ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ୧୨୬୮ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ବୁଧବାର ବିଜ୍ଞପ୍ତି ଜାରି କରାଯାଇଛି। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ପାଇଁ ୩ ଲକ୍ଷ ୬୪ ହଜାର ୫୨୭ ଜଣ ରେଗୁଲାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ କଳାର ୨ ଲକ୍ଷ ୨୯ ହଜାର ୬୦୪ ଜଣ ହୋଇଥିବା ବେଳେ ବାଣିଜ୍ୟର ୨୩ ହଜାର ୫୬୦, ବିଜ୍ଞାନର ୧ ଲକ୍ଷ ୬ହଜାର ୩୨୫ ଓ ଧନ୍ଦାମୂଳକ ଶିକ୍ଷାର ୫୦୩୮ ଜଣ ଅଛନ୍ତି। ସେହିଭଳି ୨୭ ହଜାର ୨୮୨ ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି। ଫେବୃଆରୀ ୧୮ ତାରିଖରେ ଏହି ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୨୭ ରେ ଶେଷ ହେବ । ତେବେ ପରୀକ୍ଷାକୁ ତ୍ରୁଟି ମୁକ୍ତ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।
ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ହେବ। ୧୮ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କର MIL (ଓଡ଼ିଆ) ପରୀକ୍ଷା ଅଛି। ୧୯ ତାରିଖରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ସେଦିନ ସେମାନଙ୍କର MIL (ଓଡ଼ିଆ) ପରୀକ୍ଷା ଅଛି। ୨୦ ତାରିଖରୁ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ।