ଆଜି ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ସୁଭଦ୍ରାରୁ ବଞ୍ଚିତ ହୋଇଥିବା ହିତାଧିକାରୀମାନଙ୍କ କାରଣ ବିଷୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ବାଣିଜ୍ୟ ଓ ପରିବହନ ବିଭାଗ ଅଧିକାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଧିକାରୀ, ଉଚ୍ଚ ଶିକ୍ଷା ବିଭାଗର ଅଧିକାରୀ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅଧିକାରୀ, ସୁଭଦ୍ରା ଟିମର ଅଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଜୀବିତଙ୍କୁ ମୃତ ଦର୍ଶା ଯାଇଥିବାରୁ ସ୍ଵାସ୍ଥ୍ୟ ବିଭାଗର ରିପୋର୍ଟର ତଥ୍ୟ ଆଧାରରେ ମୃତକୁ ବିଭାଗ ମାନିବ । ରାସନ କାର୍ଡରେ ମୃତ ଦର୍ଶା ଯାଇଥିଲେ ବି ସ୍ଵାସ୍ଥ୍ୟ ବିଭାଗ ତଥ୍ୟକୁ ଧରାଯିବ । ସେହି ଆଧାରରେ ମିଳିବ ସୁଭଦ୍ରା କିସ୍ତି । ଏଥିପାଇଁ ଡୋର୍ ଟୁ ଡୋର୍ ସର୍ଭେ ହେବ । ୧୫ ଦିନ ଭିତରେ ଫିଲ୍ଡ ଭିଜିଟ୍ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ ।ସୁଭଦ୍ରା କିସ୍ତି ନେଇ ଅଭିଯୋଗ ପାଇଁ ଦୁଇ ଦିନ ଭିତରେ ଅଭିଯୋଗ ପୋର୍ଟାଲ ଖୋଲିବ । ବାଦ୍ ପଡ଼ିଥିବା ହିତାଧିକାରୀ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ସାମିଲ୍ ହେବା ଲାଗି ଆବେଦନ କରିପାରିବେ । ସୁଭଦ୍ରାରୁ ୧୫ ହଜାର ୯୮୪ ହିତାଧିକାରୀଙ୍କୁ ମୃତ ଦର୍ଶାଇ ବାଦ୍ ଦିଆ ଯାଇଥିବା ବେଳେ ସେଥିରୁ ୧୮୦୫ ଜଣ ଜୀବିତ ଅଛନ୍ତି । ସେମାନଙ୍କୁ ପୁଣି ଥରେ ସାମିଲ୍ କରାଯିବ ।
