ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତା ଦେଖା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ। ଏପ୍ରିଲ ୨ ତାରିଖ ସୁଦ୍ଧା ଅର୍ଥାତ ୧୫ଦିନ ମଧ୍ୟରେ ଖାତାଦେଖା ସାରିବାକୁ ନିଷ୍ପତ୍ତି ନିଆଯାଇଛି।ରାଜ୍ୟର ୫୧ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୫ ହଜାର ଶିକ୍ଷକ ଖାତା ଦେଖିବେ। ଏଥିପାଇଁ ସବୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବୋର୍ଡ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି।ମୁଖ୍ୟ ପରୀକ୍ଷକ, ଉପ ମୁଖ୍ୟ ପରୀକ୍ଷକ, ସହକାରୀ ନିରୀକ୍ଷକଙ୍କ ସମେତ ନିୟୋଜିତ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ବୁଧବାର ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି। ମୂଲ୍ୟାୟନ ପୂର୍ବରୁ ଅର୍ଥାତ୍ ପ୍ରତ୍ୟେକ ଦିନ ପୂର୍ବାହ୍ଣ ୧୦ଟା ସୁଦ୍ଧା କେନ୍ଦ୍ରରେ ପହଞ୍ଚିବେ। କ୍ୟାମ୍ପ ଅଧିକାରୀ ଓ କର୍ମଚାରୀ ସକାଳ ୯ଟା ୩୦ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି।ମୂଲ୍ୟାୟନ କେନ୍ଦ୍ରରେ ମୋବାଇଲକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବାବେଳେ ଏସଓପି କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି।
ସେହିଭଳି ମୂଲ୍ୟାୟନ କେନ୍ଦ୍ରରେ ମୌଳିକ ସୁବିଧା ସହ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା କରିବାକୁ ବୋର୍ଡ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି। ତେବେ ମେ ମାସ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ପାଇ ବୋର୍ଡ ପକ୍ଷରୁ ଯୋଜନା ରହିଛି।
