ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାଁରେ ମୋହର ବାଜିଛି। ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ବୁଧବାର ଶପଥ ଗ୍ରହଣ କରିବେ।ବିଶେଷକରି ଶିଶୁମନ୍ଦିର ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଥିବା ଶ୍ରୀ ମାଝୀଙ୍କ ଭଳି ଜଣେ ଆଦିବାସୀ ଯୁବ ଚେହେରାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଦଳମତ ନିର୍ବିଶଷରେ ଜିଲାବ୍ୟାପୀ ଖୁସିର ଲହରୀ ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ଘୋଷଣା ପରେ ଶ୍ରୀ ମାଝୀଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଥିବା ବେଳେ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ବିଜେପି ନେତା ଓ କର୍ମୀ ବାଣଫୁଟାଇ ପରଷ୍ପର ମଧ୍ୟରେ ମିଠା ଖୁଆଇ ବିଜୟ ଉତ୍ସବ ପାଳନ କରିଥିଲେ।ଏହା ସହିତ ଦୀର୍ଘ ୨୫ ବର୍ଷ ପରେ ଓଡ଼ିଶାକୁ ଫେରିଛି ଉପମୁଖ୍ୟମନ୍ତ୍ରୀ ପଦ। ଖାସ୍ କରି ଓଡ଼ିଶାରେ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ପ୍ରଭାତୀ ପରିଡ଼ା। ବିଜେଡିର ୨୪ ବର୍ଷ ସରକାରରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ କୌଣସି ଉପମୁଖ୍ୟମନ୍ତ୍ରୀ ପଦ ରଖି ନ ଥିଲେ।
ଓଡ଼ିଶା ରାଜନୀତି ଇତିହାସ ଉପରେ ନଜର ପକାଇଲେ ୧୯୭୧ ପଞ୍ଚମ ବିଧାନସଭାରେ ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଥିଲେ ବରିଷ୍ଠ ନେତା ନୀଳମଣି ରାଉତରାୟ। ସେ ୧୯୭୨ ଜୁନ ୧୪ରୁ ୧୯୭୩ ମସିହା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ମୋଟ୍ ୨୬୦ ଦିନ ଉପମୁଖ୍ୟମନ୍ତ୍ରୀ ରହିଥିଲେ। ଏହାପରେ ୧୯୯୫ ଏକାଦଶ ବିଧାନସଭା ନିର୍ବାଚନରେ ଉପମୁଖ୍ୟମନ୍ତ୍ରୀ ପଦବୀ ଫେରିଥିଲା। ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ହେମାନନ୍ଦ ବିଶ୍ଵାଳ ଏବଂ ବସନ୍ତ ବିଶ୍ଵାଳ ୧୯୯୫ ମାର୍ଚ୍ଚ ୧୫ରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ହେମାନନ୍ଦ ବିଶ୍ଵାଳ ୧୯୯୮ ମେ ୯ ପର୍ଯ୍ୟନ୍ତ, ଅର୍ଥାତ ୩ ବର୍ଷ ୫୫ ଦିନ ଉପ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ଏହା ପରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ବସନ୍ତ ବିଶ୍ଵାଳ ତାଙ୍କ ଅଧୀନରେ ବି ଉପମୁଖ୍ୟମନ୍ତ୍ରୀ ରହିଥିଲେ। ତେବେ ସେ ୧୯୯୯ ଫେବୃଆରୀ ୧୭ ପର୍ଯ୍ୟନ୍ତ, ଅର୍ଥାତ ୩ ବର୍ଷ ୩୩୯ ଦିନ ଉପମୁଖ୍ୟମନ୍ତ୍ରୀ ରହି ପଦ ଛାଡ଼ିଥିଲେ।