୨୦୨୫ ରଥଯାତ୍ରା ପାଇଁ ଆଜିଠୁ ଚିହ୍ନଟ ହେବ ରଥ କାଠ

ଆରମ୍ଭ ହେଲା ରଥଯାତ୍ରାର ଆଦ୍ୟ ପର୍ବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ମାଳ ମାହାର୍ଦ, ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆପାଟ, ନୀଳଚକ୍ର ବାନା, ଶ୍ରୀଫଳ ଆଦି ନେଇ ଏକ ପ୍ରତିନିଧି ଦଳ ନୟାଗଡ଼ ଜିଲାର ବଡ଼ ରାଉଳ ଠାକୁରଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧି ଦଳ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ନୟାଗଡ଼ରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି।ପରମ୍ପରା ଅନୁସାରେ ଗଣିଆ ବନାଞ୍ଚଳର ବଡ଼ମୂଳସ୍ଥିତ ବନଦେବୀ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଛି।

ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ହୋମ ଓ ନାମ ସଙ୍କୀର୍ତ୍ତନ କରାଯାଇଥିଲା। ଠାକୁରାଣୀଙ୍କୁ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ ସହ ଲାଗି ଖଣ୍ଡୁଆ, ନଡ଼ିଆ ଆଦି ସମର୍ପଣ କରାଯିବା ପରେ ଗଛକଟା ପ୍ରକ୍ରିୟା ଆରମ୍ଭ ହୋଇଥାଏ।ତିନି ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ ଅସନ, ଧଉରା ଓ ଫାସି କାଠର ଆବଶ୍ୟକତା ରହିଛି। ଗତବର୍ଷଠାରୁ ବ୍ୟବହାର ନହୋଇ ୫୧ ଖଣ୍ଡ କାଠ ବଳକା ରହିଛି। ରଥ ନିର୍ମାଣ ପାଇଁ ଆଉ ୮୧୪ ଖଣ୍ଡ କାଠ ଯୋଗାଇବାକୁ ଜଙ୍ଗଲ ଓ ପରିବେଶ ବିଭାଗକୁ ଅନୁରୋଧ କରାଯାଇଛି। ଆଗାମୀ ବସନ୍ତ ପଞ୍ଚମୀ ତିଥିରେ ରଥ କାଠ ଅନୁକୂଳ ପୂଜା କରାଯିବ।

ଅଧିକ ପଢନ୍ତୁ