୨୦୨୭ ଜାନୁଆରୀ ଯାଏଁ ବଢିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର। ୨୦୨୭ ଜାନୁଆରୀ ୧୩ ଯାଏଁ ଅବଧି ବୃଦ୍ଧି କରାଯାଇଛି। ଜଳ ସମ୍ପଦ ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ୍୧୩ରେ ଟ୍ରବ୍ୟୁନାଲ୍ ଅବଧି ସରୁଥିଲା। ଟ୍ରିବ୍ୟୁନାଲ୍ ପୂର୍ବରୁ ଓଡ଼ିଶା ଓ ଛତିଶଗଡ଼କୁ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ସମୟ ଦେଇଥିଲେ। କିନ୍ତୁ ଦୁଇ ରାଜ୍ୟର ଯୁଗ୍ମ ବୈଷୟିକ କମିଟି ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ରିପୋର୍ଟ ଦାଖଲ କରିପାରି ନାହାନ୍ତି । ଗତ ଫେବ୍ରୁଆରୀ ୨୬ରୁ ମାର୍ଚ୍ଚ ୨ ଯାଏ ଜଷ୍ଟିସ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ଟିମ୍ ହୀରାକୁଦ, ସାତକୋଶିଆ, ଚିଲିକା ଏବଂ ସମୁଦ୍ର ମୁହାଣ ପରିଦର୍ଶନ କରିଥିଲେ।

ସେହିପରି ମାର୍ଚ୍ଚ ୭ରୁ ୧୧ ଯାଏ ଟ୍ରିବ୍ୟୁନାଲ୍ ଟିମ୍ ଉପର ମୁଣ୍ଡରେ ଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ପରଖିଥିଲେ । କ୍ଷେତ୍ର ପରିଦର୍ଶନକୁ ‘ଫଳପ୍ରଦ’ ବୋଲି ଦର୍ଶାଇ ଏହାର ତଥ୍ୟଭିତ୍ତିକ ରିପୋର୍ଟ ପ୍ରସ୍ତୁତ କରିବାକୁ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ରିବ୍ୟୁନାଲଙ୍କ ଅବଧି ଏପ୍ରିଲ ୧୩ରେ ଶେଷ ହେଉଥିବାରୁ କାର୍ଯ୍ୟକାଳ ବଢ଼ାଇବା ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ କେନ୍ଦ୍ର ସରକାରଙ୍କୁ ମିଳିତ ଆବେଦନ କରିଥିଲେ ।ତେବେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଗ୍ରୀନ୍ ସିଗନାଲ୍ ମିଳିଛି ।

ଅଧିକ ପଢନ୍ତୁ