ମହଙ୍ଗା ହେଲା ଟ୍ରେନ୍ ଯାତ୍ରା। ବଢିଲା ଟ୍ରେନ୍ ଭଡା। ରେଳବାଇ ଘୋଷଣା କରିଛି ଯେ ଟ୍ରେନ ଭଡାରେ ପରିବର୍ତ୍ତନ ଡିସେମ୍ବର ୨୬, ୨୦୨୫ରୁ ଲାଗୁ ହେବ। ୨୧୫ କିଲୋମିଟର ପର୍ଯ୍ୟନ୍ତ ନିୟମିତ ଭଡା ବୃଦ୍ଧି କରାଯାଇ ନାହିଁ। ସାଧାରଣ ବର୍ଗରେ ୨୧୫ କିମିରୁ ଅଧିକ ଯାତ୍ରା ପାଇଁ କିମି ପିଛା ୧ ପଇସା ବୃଦ୍ଧି କରାଯାଇଛିି। ମେଲ୍ / ଏକ୍ସପ୍ରେସ୍ ନନ୍ ଏସି ପାଇଁ କିମି ପିଛା ୨ ପଇସା ବୃଦ୍ଧି ହୋଇଛି। ଏସି ଯାତ୍ରା ପାଇଁ କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି। ନନ୍ ଏସିରେ ୫୦୦ କିମି ଯାତ୍ରା ପାଇଁ ଅଧିକ ୧୦ ଟଙ୍କା ଦେବାକୁ ପଡିବ। ଏହା ଦ୍ୱାରା ଚଳିତ ବର୍ଷ ୬୦୦ କୋଟି ଟଙ୍କାର ଆୟ କରିବ ରେଲୱେ। ଲୋକେଲ ଟ୍ରେନ୍ ଓ ମାସିକିଆ ଟିକେଟ (ଏମଏସଟି)ରେ କୌଣସି ବୃଦ୍ଧି ହୋଇନାହିଁ। ରେଳବାଇ କହିଛି ଯେ ଉତ୍ତମ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିବା ପାଇଁ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି। ତେଣୁ, ଭଡ଼ା ରାଜସ୍ୱ ନେଟୱାର୍କ ଏବଂ କର୍ମଚାରୀଙ୍କ ଉପରେ ଖର୍ଚ୍ଚ କରାଯିବ। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି ରେଳ ବିଭାଗର ବର୍ଦ୍ଧିତ ଖର୍ଚ୍ଚ। ଗତ ଦଶନ୍ଧି ମଧ୍ୟରେ ରେଳବିଭାଗ ଏହାର ନେଟ୍ଓ୍ବର୍କ ଏବଂ କାର୍ଯ୍ୟକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି। ଯାହା ଫଳରେ ମାନବଶକ୍ତି, ଅର୍ଥାତ୍ କର୍ମଚାରୀଙ୍କ ସଂଖ୍ୟା ଏବଂ ସେମାନଙ୍କ ଖର୍ଚ୍ଚରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।
ପରିସଂଖ୍ୟାନକୁ ଦେଖିଲେ ରେଳ ବିଭାଗର ମାନବଶକ୍ତି ଖର୍ଚ୍ଚ ୧,୧୫୦୦୦ କୋଟିକୁ ବୃଦ୍ଧି ପାଇଛି। ପେନ୍ସନ୍ ବୋଝ ମଧ୍ୟ ୬୦୦୦୦ କୋଟିରେ ପହଞ୍ଚିଛି। ୨୦୨୪-୨୫ରେ ରେଳବାଇ ପରିଚାଳନାର ମୋଟ୍ ଖର୍ଚ୍ଚ ୨,୬୩୦୦୦ କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚ ପୂରଣ କରିବା ଏବଂ ସୁରକ୍ଷାକୁ ଉନ୍ନତ କରିବା ପାଇଁ, ରେଳବାଇକୁ ରାଜସ୍ବର ନୂତନ ଉତ୍ସ ଖୋଜିବାକୁ ପଡୁଛି।
