ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ୨୯ ବର୍ଷରେ ପାଦ ଥାପିଲା ବିଜେଡି। ଶଙ୍ଖ ଭବନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ। ଦଳୀୟ ନେତା ଓ ତୃଣମୂଳ ସ୍ତରର କର୍ମୀଙ୍କୁ ସଞ୍ଜୀବନୀ ଦେବେ ନବୀନ ପଟ୍ଟନାୟକ। ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ସଭାପତି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ବିଜେଡି କର୍ମୀଙ୍କୁ ବାର୍ତ୍ତା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଲୋକଙ୍କ ସ୍ୱର ହୋଇ ବିଜୁ ଜନତା ଦଳ ସାଜିଛି ଓଡ଼ିଶାର ବଳ। ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ ସର୍ବଦା ଅଟଳ। ବିଜୁ ବାବୁଙ୍କ ଆଦର୍ଶ ଏବଂ ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ପଣରେ ବିଜୁ ଜନତା ଦଳ ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି। ଦଳର ଗୌରବମୟ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତୁ ସମସ୍ତେ ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ରରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବା। ତେବେ ଆଜି ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ। ବିରୋଧୀ ଦଳ ଭାବେ ସରକାରୀ ଅବିଚାର ବିରୋଧରେ ସଂଗ୍ରାମ, ମହାନଦୀ ପୋଲାଭରମ ପାଇଁ ସଂଗ୍ରାମ, ଆଦିବାସୀ ସ୍ୱାର୍ଥ ପାଇଁ ସଂଗ୍ରାମ, ଚାଷୀ, ପଛୁଆ ବର୍ଗଙ୍କ ଅଧିକାର ପାଇଁ ସଂଗ୍ରାମ ଜାରି ରଖିଛି ବିଜେଡି। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯାତନା ବିରୋଧରେ ଲୋକଙ୍କ ସମସ୍ୟା ପାଇଁ ବିଜେଡି ଆନ୍ଦୋଳନ କରୁଛି। ଦରଦାମ ବୃଦ୍ଧି ବିରୋଧରେ ଯେଉଁ ବିଶାଳ ସମାବେଶ ହୋଇଥିଲା, ସେଥିରେ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ୨୯ ବର୍ଷରେ ସେହି ସଂକଳ୍ପକୁ ପୁଣି ଆଗକୁ ନିଆଯିବ।
