୩୮ ବର୍ଷ ପରେ ଅଲଗା ହେବେ ଗୋବିନ୍ଦା-ସୁନୀତା ! କଣ କହିଲେ ଗୋବିନ୍ଦାଙ୍କ ମ୍ୟାନେଜର

ଲୋକପ୍ରିୟ ବଲିଉଡ୍‌ ଅଭିନେତା ହିରୋ ନମ୍ବର ୱାନ୍‌ ଗୋବିନ୍ଦାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ପତ୍ନୀ ସୁନୀତା ଆହୁଜାଙ୍କ ସହିତ ତାଙ୍କ ବିବାହ ବିଚ୍ଛେଦ ଖବର ଫ୍ୟାନ୍‌ଙ୍କୁ ଚକିତ କରିଛି ।ସେ ମୁମ୍ବାଇ ଫ୍ୟାମିଲି କୋର୍ଟରେ ଏକ ଆବେଦନ ମଧ୍ୟ ଦାଖଲ କରିଛନ୍ତି । କୁହାଯାଉଛି ଯେ ସୁନିତା ତାଙ୍କ ସ୍ୱାମୀଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି । କିନ୍ତୁ ଗୋବିନ୍ଦାଙ୍କ ପରିଚାଳିକା ଶଶି ସିହ୍ନା ଏବେ ଛାଡପତ୍ର ଖବରକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଗୋବିନ୍ଦା ଏବଂ ସୁନିତା ଛାଡପତ୍ର ନେଉନାହାନ୍ତି । ରିପୋର୍ଟ ଅନୁସାରେ, ସୁନୀତା ହିନ୍ଦୁ ବିବାହ ଅଧିନିୟମ ୧୯୫୫ର ଧାରା ୧(ଆଇ), (ଆଇଏ) ଓ (ଆଇବି) ଅନ୍ତର୍ଗତ କୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି । ଦୀର୍ଘ ୩୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ନିମନ୍ତେ ସେ ବ୍ୟଭିଚାର, ନିଷ୍ଠୁରତା ଓ କର୍ତ୍ତବ୍ୟରୁ ବିଚ୍ୟୁତ ହେବାକୁ ଆଧାର ରୂପେ ଦର୍ଶାଇଛନ୍ତି । ଗତ ମେ’ ୨୫ରେ କୋର୍ଟ ଗୋବିନ୍ଦାଙ୍କୁ ସମନ କରିଥିଲା । କିନ୍ତୁ ସେ କୌଣସି ଶୁଣାଣିରେ ହାଜର ହୋଇନଥିଲେ । ସୁନୀତା କିନ୍ତୁ ଗତ ଜୁନ୍‌ ମାସଠୁ ସମସ୍ତ ଶୁଣାଣି ଓ କୋର୍ଟଙ୍କ ଦ୍ୱାରା ନିର୍ଦ୍ଦେଶିତ ପରାମର୍ଶ ଅଧିବେଶନରେ ଯୋଗ ଦେଇଥିଲେ । ତେବେ ଶଶି ଆହୁରି କହିଛନ୍ତି, କେଉଁ ଦମ୍ପତିଙ୍କ ସମସ୍ୟା ନାହିଁ? ସୁନିତା ଗୋବିନ୍ଦାକୁ ବହୁତ ଭଲ ପାଆନ୍ତି ଏବଂ ଉଭୟ ଏକାଠି ଅଛନ୍ତି । କୌଣସି ଛାଡପତ୍ର ହେବ ନାହିଁ । ଉଭୟ ନକାରାତ୍ମକତା ବଦଳରେ ସେମାନଙ୍କ ପିଲାମାନଙ୍କ କ୍ୟାରିୟର ଏବଂ ବିବାହ ଉପରେ ଧ୍ୟାନ ଦେଉଛନ୍ତି ।

ଅଧିକ ପଢନ୍ତୁ