୩୮ ବର୍ଷ ହେଲାଣି ଏହି ଗାଁ ପାଳନ ହୁଅନି ନୂଆବର୍ଷ

ପାହାଡି ଗାଁର ପଥୁରିଆ ମଣିଷର ହୃଦୟ କାନ୍ଦି ଉଠିଲା । ଯେତେବେଳେ ପିକନିକ୍ ଯାଇଥିବା ଗାଁ ପିଲାଙ୍କ ଗାଡି ବଦଳରେ ଆସିଲା ଶବର ପାହାଡ଼ । ୩୮ ବର୍ଷ ତଳର ସେ ଲୋମଟାଙ୍କୁରା ଘଟଣାକୁ ଏବେବି ଭୁଲି ନାହାନ୍ତି ଗାଁ ଲୋକେ । ନୂଆବର୍ଷ ଆସିଲେ ଏବେବି ଗାଁର କେହି ପିକନିକ୍ ଯାଆନ୍ତିନି କି ବଣଭୋଜି କରନ୍ତିନି। ନୀଳଗିରିର ଏମିତି ଏକ ଗାଁ ଯେଉଁଠି ପାଳନ ହୁଏନି ଜିରୋ ନାଇଟ୍ କି ନୂଆବର୍ଷ ଉତ୍ସବ । ବାଲେଶ୍ବର ଜିଲ୍ଲା ନୀଳଗିରି ନିକଟରେ ଥିବା ଧୋବଶିଳା ଗାଁ କଥା । ସେଦିନ ଥିଲା ୧୯୮୬ ମସିହା ଜାନୁଆରୀ ୧ ତାରିଖ । ନୂଆବର୍ଷ ବୋଲି ଗାଁରେ ତା ପୂର୍ବଦିନରୁ ହିଁ ଉତ୍ସାହରେ ଫାଟିପଡିଥିଲା । ଡିସେମ୍ବର ୩୧ ରାତିରେ ହିଁ ବଣଭୋଜି ପାଇଁ ବାହାରି ପଡିଥିଲେ ଗାଁ ଲୋକେ | ମଉଜମଜଲିସ୍ କରି ତା ପରଦିନ ଅର୍ଥାତ୍ ଜାନୁଆରି ୧ରେ ଗାଡି ଫେରିଥିଲା ଗାଁ ଅଭିମୁଖେ ।ହଠାତ୍ କେହି କିଛି ଭାବିବା ପୂର୍ବରୁ ବସଟି ଗଣ୍ଡିବେଡ ନିକଟରେ ନଈକୁ ଖସିପଡିଥିଲା ।

ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିଲେ । ତେବେ ସେହି ଘଟଣାକୁ କେହି ଭୁଲି ପାରିନାହାନ୍ତି | ନୂଆବର୍ଷ ଆସିଲେ ପିକନିକ୍ ପାଇଁ ଗାଁ ବାହାରକୁ ସିନା କେହି ଯାଆନ୍ତି ନାହିଁ । ହେଲେ ଏହି ସ୍ମୃତିସ୍ଥମ୍ଭ ଠାରେ ପୂଜାର୍ଚ୍ଚନା କରି ସେମାନଙ୍କ ସ୍ମୃତିରେ ଫୁଟବଲ ଖେଳ ଅନୁଷ୍ଠିତ କରିଥାନ୍ତି। ଏହି ଘଟଣା ସମ୍ପର୍କରେ ଏବେର ପୀଢ଼ି ମନେପକାଇ ଏହି ଦିନ କେହି କୁଆଡେ ନଯିବାକୁ ପ୍ରତିଜ୍ଞା କରିଥାନ୍ତି। ଘର ଲୋକଙ୍କ ଠୁ ସେହି ହୃଦୟ ବିଦାରକ କଥା ଶୁଣି ଏବେର ପିଲା ବି ସ୍କୁଲ ପିକନିକ୍ ହେଲେ ମନାକରିବା ସହ କେଉଁଆଡେ ବାହାରକୁ ନଯିବାକୁ ଠିକ୍ ବୋଲି ମନେକରୁଛି ।

ଅଧିକ ପଢନ୍ତୁ

Odisha Darpan Digital