୪୭୪ ଅଣସ୍ବୀକୃତ ଦଳକୁ ତାଲିକାରୁ ବାତିଲ କଲେ ଇସି

ଗତ ୬ ବର୍ଷ ମଧ୍ୟରେ ଆଦୌ ନିର୍ବାଚନ ଲଢ଼ି ନ ଥିବା ସମେତ ନିୟମାବଳୀର ଉଲ୍ଲଂଘନ କରିଥିବା ଆଉ ୪୭୪ଟି ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ (ଆର୍‌ୟୁପିପି)କୁ ନିର୍ବାଚନ କମିଶନ (ଇସି) ଶୁକ୍ରବାର ତାଲିକାରୁ ବାଦ୍‌ ଦେଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ସହିତ ବିଗତ ୨ ମାସ ମଧ୍ୟରେ ଏବେସୁଦ୍ଧା ୮୦୮ ଦଳର ପଞ୍ଜୀକରଣକୁ ରଦ୍ଦ କରିଛନ୍ତି ECI।ପୂର୍ବରୁଅଗଷ୍ଟ ୯ରେ ପ୍ରଥମ ପର୍ଯ୍ୟାୟରେ ୩୩୪ଟି ଦଳର ପଞ୍ଜୀକରଣକୁ ରଦ୍ଦ କରାଯାଇଥିଲା। ଏହାଛଡ଼ା ଇସିଆଇ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଅନ୍ୟ ୩୫୯ଟି ଦଳକୁ ଚିହ୍ନିତ କରିଛନ୍ତି । ଏହି ଦଳଗୁଡ଼ିକ ବିଗତ ୩ ଆର୍ଥିକ ବର୍ଷରେ ନିଜର ଅଡିଟେଡ୍ ଆକାଉଣ୍ଟସ ଓ ନିର୍ବାଚନୀ ଖର୍ଚ୍ଚର ରିପୋର୍ଟ ଦାଖଲ କରିନାହାନ୍ତି। ଏହି ଦଳଗୁଡ଼ିକ ନିର୍ବାଚନୀ ପ୍ରକ୍ରିୟାରେ ଭାଗ ନେଇଥିଲେ। କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଜରୁରି ରିପୋର୍ଟ ଦାଖଲ କରିନଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।ଏହି ଦଳଗୁଡ଼ିକ ବାଦ୍‌ ପଡ଼ିବା ପରେ ବର୍ତ୍ତମାନ ପଞ୍ଜୀକୃତ ଅଣସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ ସଂଖ୍ୟା ୨,୦୪୬କୁ ହ୍ରାସ ପାଇଛି। ଏହାକୁ ବାଦ୍‌ ଦେଇ ୬ଟି ସ୍ବୀକୃତିପ୍ରାପ୍ତ ଜାତୀୟ ଦଳ ଓ ୬୭ଟି ରାଜ୍ୟ ଦଳ ରହିଛି।ଭାରତରେ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୨୯ଏ ଅଧୀନରେ ରାଜନୈତିକ ଦଳଗୁଡ଼ିକ ପଞ୍ଜୀକୃତ ହୋଇଥାନ୍ତି। ଥରେ ପଞ୍ଜୀକୃତ ହୋଇଗଲେ ଦଳଗୁଡ଼ିକୁ ନିର୍ବାଚନୀ ଚିହ୍ନ ଓ ଟିକସ ରିହାତି ଆଦି କେତେକ ସୁବିଧା ମିଳିଥାଏ। ତେବେ ଗାଇଡ୍‌ଲାଇନରେ ସ୍ପଷ୍ଟ କରିଦିଆଯାଇଛି ଯେ ଯଦି କୌଣସି ଦଳ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ି ନ ଥିବ, ତାହାକୁ ପଞ୍ଜୀକୃତ ଦଳ ତାଲିକାରୁ ବାଦ୍‌ ଦିଆଯିବ। ନିୟମାବଳୀ ଉଲ୍ଲଂଘନ କରିଥିବା ଦଳଗୁଡ଼ିକୁ ବାଦ୍‌ ଦେବା ଲାଗି ନିର୍ବାଚନ କମିଶନ ଜୁନ୍‌ରୁ ଦେଶବ୍ୟାପୀ ଉଦ୍ୟମ ଆରମ୍ଭ କରିଥିଲେ।ଇସିଆଇଙ୍କ ଅନୁସାରେ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହି ଦଳ ଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କୁ ନିଜର ପକ୍ଷ ଉପସ୍ଥାପନ କରିବାକୁ ସୁଯୋଗ ଦିଆଯିବ। ସେମାନଙ୍କ ଜବାବ ପ୍ରସଙ୍ଗରେ ଶୁଣାଣିପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଅଧିକ ପଢନ୍ତୁ

Odisha Darpan Digital