ରାଜ୍ୟରେ ପ୍ରସ୍ତାବିତ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପାଇଁ ରାଜ୍ୟ ସରକାର ୨୩ ଜିଲାରୁ ସବିଶେଷ ତଥ୍ୟ ଆହ୍ବାନ କରିଛନ୍ତି। ଜନସଂଖ୍ୟାଠାରୁ ଆରମ୍ଭକରି ସମସ୍ତ ତଥ୍ୟ ଦେବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାର ଜିଲାପାଳଙ୍କୁ ଚିଠି ଲେଖିବା ସହିତ ଫର୍ମାଟ ପଠାଯାଇଛି। ବିଭାଗର ଅତିରିକ୍ତ ସଚିବ ରବୀନ୍ଦ୍ର କୁମାର ସାହୁ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ଗଞ୍ଜାମ ଜିଲ୍ଲାର ଆସିକା, ଛତ୍ରପୁର ଓ ଭଞ୍ଜନଗର ଏନଏସି ସମେତ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ ଏନଏଏସି, ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଏନଏସି ଏବଂ ବଲାଙ୍ଗୀର ଜିଲ୍ଲାର କଂଟାବାଞ୍ଜି ଏନଏସିକୁ ମ୍ୟୁନିସପାଲଟିକୁ ଉନ୍ନୀତ କରିବା ନିମନ୍ତେ ତୁରନ୍ତ ବିସ୍ତୃତ ତଥ୍ୟ ବିଭାଗକୁ ପଠାଇବାକୁ କହିଛନ୍ତି । ଓଡ଼ିଶା ମ୍ୟୁନିସପାଲ ଆକ୍ଟ-୧୯୫୦ର ପ୍ରାବଧାନ ଓ ପ୍ରଚଳିତ ନୀତି ଆଧାରରେ ଏଦିଗରେ ପଦକ୍ଷେପ ନିଆଯିବ ବୋଲି କହିବା ସହ ୨୦୨୪ ମାର୍ଚ୍ଚ ୧୩ତାରିଖରେ ବିଭାଗ ମାଗିଥିବା ତଥ୍ୟ ଦେବାକୁ କହିଛନ୍ତି ।
ଅନୁଗୋଳ ଜିଲାରୁ ପାଲଲହଡା ଓ ଛେଣ୍ଡିପଦାକୁ ନୂଆ ଏନ୍ଏସି ମାନ୍ୟତା ଦେବାକୁ ପ୍ରସ୍ତାବ ଆସିଥିବା ବେଳେ ବଲାଙ୍ଗୀରର ଲୋଇସିଙ୍ଗା, ସିନ୍ଦେକେଲା, ସଇଁତଳା ଓ ବେଲପଡ଼ା, ବାଲେଶ୍ୱରରୁ ବସ୍ତା, ସିମୁଳିଆ, ବାଲିଆପାଳ ଓ ଖଇରା, ବରଗଡ଼ର ପାଇକମାଳ, ଭେଡେନ ଓ ସୋହେଲା, ଭଦ୍ରକର ଅଗରପଡ଼ା ଓ ଧାମରା, ବୌଦ୍ଧର କଣ୍ଟାମାଳ, ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣୀ, କଟକର ସାଲେପୁର, ବଡମ୍ବା, ନରସିଂହପୁର ଓ ନିଆଳି, ଢେଙ୍କାନାଳର ପରଜଙ୍ଗ ଓ ରାସୋଳ ଏବଂ ଗଞ୍ଜାମ ଜିଲାର କୁକୁଡାଖଣ୍ଟି ଓ ଶେରଗଡ଼କୁ ଏନ୍ଏସି ମାନ୍ୟତା ଦେବାକୁ ପ୍ରସ୍ତାବ ଆସିଛି। ସେହିପରି ଜଗତସିଂହପୁର ଜିଲାର କୁଜଙ୍ଗ, ଯାଜପୁରର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳାହାଣ୍ଡିର ଜୟପାଟଣା, ମଦନରାମପୁର ଓ ନର୍ଲା, କନ୍ଧମାଳର ରାଇକିଆ, ଚାନ୍ଦଲି, ଖୋର୍ଦ୍ଧାର ବେଗୁନିଆ, ଟାଙ୍ଗୀ ଓ ବୋଲଗଡ଼, କୋରାପୁଟର ବୋରିଗୁମ୍ମା, ମୟୂରଭଞ୍ଜର ବେତନଟୀ, ନୟାଗଡ଼ର କଣ୍ଟିଲୋ, ଶରଣକୁଳ, ନୂଆପଡ଼ାର ସିନାପାଲି, ପୁରୀର ସାକ୍ଷୀଗୋପାଳ କାକଟପୁର, ରାୟଗଡ଼ାର ମୁନିଗୁଡ଼ା ଓ ବିଷମକଟକ, ସମ୍ବଲପୁରର ରେଙ୍ଗାଲି ଓ ବାମରା, ସୁବର୍ଣ୍ଣପୁରର ସୁବଳୟା, ଉଲୁଣ୍ଡା, ରାମପୁର, ବୀରମହାରାଜପୁର ଓ ଡୁଙ୍ଗୁରିପାଲି ଏବଂ ସୁନ୍ଦରଗଡ଼ ଜିଲାର ବଣାଇଁକୁ ନୂଆ ଏନ୍ଏସି କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ମିଳିଛି।