୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀ, ଟ୍ରିବ୍ୟୁନାଲର ସଦସ୍ୟ ଏବଂ ତାଙ୍କ ପରିବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏଥିରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ସଦସ୍ୟଙ୍କ ସହ ୧୦ ଜଣ ରହିବେ । ରାଜ୍ୟ ସରକାର ଏହି ଟିମ୍କୁ ରାଜ୍ୟ ଅତିଥି ଭାବେ ଘୋଷଣା କରିଛନ୍ତି । ଏହି ଟିମ୍ ରାଜ୍ୟର ବିଭିନ୍ନ ସ୍ଥାନରେ ପରିଦର୍ଶନ ବେଳେ ଆବଶ୍ୟକ ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ପୁଲିସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦଳର ସଦସ୍ୟମାନେ ମହାନଦୀରେ ଜଳପ୍ରବାହ ବିଷୟରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବେ ଏବଂ ଓଡ଼ିଶା, ଛତିଶଗଡ଼ ମଧ୍ୟରେ ଜଳ ବିବାଦ ସମ୍ପର୍କରେ ବୈଷୟିକ ଓ ପରିବେଶଗତ ଦିଗଗୁଡ଼ିକର ମୂଲ୍ୟାଙ୍କନ କରିବେ ।ସୂଚନାଯୋଗ୍ୟ , ଓଡ଼ିଶା ଓ ଛତିଶଗଡ଼ ମହାନଦୀ ଜଳ ବଣ୍ଟନ ନେଇ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଚୁକ୍ତିନାମାରେ ପହଞ୍ଚି ପାରୁନଥିବାରୁ ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ, ୧୯୫୬ ଅନୁଯାୟୀ ମାର୍ଚ୍ଚ ୨୦୧୮ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଗଠନ କରାଯାଇଥିଲା । ଦୀର୍ଘ ୯ ମାସ ଧରି ଏହାର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ଟ୍ରିବ୍ୟୁନାଲ କାର୍ଯ୍ୟରେ ଅଗ୍ରଗତି ହୋଇପାରି ନଥିଲା । ଚଳିତ ମାସ ୭ ତାରିଖରେ ହେବାକୁ ଥିବା ମହାନଦୀ ଜଳ ବିବାଦ ଶୁଣାଣି ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଥିଲା । ଟ୍ରିବ୍ୟୁନାଲ୍ କ୍ଷେତ୍ର ପରିଦର୍ଶନ କରି ସାରିବା ପରେ ମାର୍ଚ୍ଚ ୧୪ ତାରିଖରେ ଶୁଣାଣି ହେବ । ଏପ୍ରିଲ ୧୩ ତାରିଖରେ ଟ୍ରିବ୍ୟୁନାଲ୍ ଅବଧି ଶେଷ ହେବାକୁ ଯାଉଛି ।
