ସକ୍ରିୟ ମୌସୁମୀ ପ୍ରଭାବରେ ମଙ୍ଗଳବାରଠାରୁ ରାଜ୍ୟରେ ବଢିବ ବର୍ଷା । ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। କିନ୍ତୁ ବଙ୍ଗୋପସାଗରରେ ଶନିବାର ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଉପରେ ଏହି ଲଘୁଚାପ କେନ୍ଦ୍ରୀଭୂତ ରହିଛି। ତେବେ ସମ୍ପୂର୍ଣ୍ଣ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ବାୟୁମଣ୍ଡଳରେ ୭.୬ କି.ମି. ଉଚ୍ଚତା ଯାଏ ଲମ୍ବିଛି, ଯାହା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହେବ। ଏବେ ରାଜ୍ୟରେ ବର୍ଷା କମିଥିବାବେଳେ ସୋମବାର ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବ। ତେବେ ଲଘୁଚାପ ପ୍ରଭାବରେ ଆସନ୍ତା ୬ ତାରିଖରୁ ବର୍ଷା ପରିମାଣ ବଢ଼ିବ। ୮ ଓ ୯ ରେ ଉତ୍ତର ଉପକୂଳରେ ବି ବର୍ଷିବ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ଆକଳନ କରିଛନ୍ତି ।ବାଲେଶ୍ୱରରୁ ସୁନ୍ଦରଗଡ଼ ଯାଏ ସଂଲଗ୍ନ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ୮ ଓ ୯ ତାରିଖରେ ଉତ୍ତର ଉପକୂଳର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ହୋଇପାରେ। ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୧୦ ଓ ୧୧ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। କିନ୍ତୁ କେନ୍ଦ୍ରାପଡ଼ାରୁ ଗଞ୍ଜାମ ଯାଏ ସମସ୍ତ ଉପକୂଳ ଜିଲ୍ଲାରେ କମ୍ ବର୍ଷା ହେବ। ଗଜପତି, ଅଭିବକ୍ତ କୋରାପୁଟ, ନୟାଗଡ଼ ଓ ଢେଙ୍କାନାଳରେ ଆସନ୍ତା ୭ ଦିନ ଯାଏ ବର୍ଷା କମ୍ ରହିବ।
ସୋମବାର ଭୁବନେଶ୍ୱରରେ ଦିନବେଳା ତାପମାତ୍ରା ୨ ଡିଗ୍ରୀ ବଢ଼ିବ। ୬ ଓ ୭ ତାରିଖରେ ବର୍ଷା ପାଇଁ ତାପମାତ୍ରା ପୁଣି କମିବ। ୧୦ ପରେ ତାତି ପୁଣି ବଢ଼ିବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି ।୬ତାରିଖରୁ ପ୍ରବଳ ବର୍ଷା ଥିବାରୁ ଆଗୁଆ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଛି। ରବିବାର ଅପରାହ୍ଣ ୩ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ୧ଲକ୍ଷ ୯୩ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୪୬ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ମୁଣ୍ଡଳିରେ ୧ଲକ୍ଷ ୮୪ହଜାର କ୍ୟୁସେକ୍ ଜଳ ପ୍ରବାହ କରୁଥିବା ବେଳେ ବରମୂଳରେ ୧ଲକ୍ଷ ୫୯ ହଜାର କ୍ୟୁସେକ୍ ଏବଂ ଖଇରମାଳରେ ୧ଲକ୍ଷ ୮୨ ହଜାର କ୍ୟୁସେକ୍ ଜଳ ପ୍ରବାହ କରୁଛି।