୬୨ ବର୍ଷ ପରେ ଭାରତୀୟ ବାୟୁସେନାରୁ ଅବସର ନେବ ମିଗ୍-୨୧

ଖୁବଶୀଘ୍ର ମିଗ-୨୧ ଯୁଗର ଅନ୍ତ । ଭାରତୀୟ ବାୟୁସେନାରୁ ବିଦାୟ ନେବ ଲଢୁଆ ଯୁଦ୍ଧ ବିମାନ ମିଗ-21 । ଦୀର୍ଘ ୬୨ ବର୍ଷ ସେବା ଯୋଗାଇବା ପରେ ଆସନ୍ତା ୧୯ ସେପ୍ଟେମ୍ବର ୨୦୨୫ରେ ବାୟୁସେନାରୁ ସବୁଦିନ ପାଇଁ ସର୍ବପୁରାତନ ଯୁଦ୍ଧ ବିମାନ ମିଗ-୨୧କୁ ବିଦାୟ ଦିଆଯିବ । ମିଗ୍-୨୧କୁ ନେଇ ଗଠିତ ବାୟୁସେନାର ବାହିନୀ ନାମ ହେଉଛି ପାନ୍ଥର ସ୍କ୍ବାର୍ଡନ ବା ସ୍କ୍ବାର୍ଡନ ନମ୍ବର ୨୩। ଏହା ବାୟୁସେନାର ପ୍ରଥମ ସୁପରସୋନିକ୍ ଜେଟ୍ ଥିଲା। ୧୯୬୦ ଓ ୭୦ ଦଶକରେ ଏହା ବାୟୁସେନାର ମୁଖ୍ୟ ଆୟୁଧ ବିବେଚିତ ହେଉଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହି ଯୁଦ୍ଧବିମାନ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେବାରୁ ଏହାକୁ ‘ଉଡନ୍ତା କଫିନ’ ଭାବରେ ନାମିତ କରାଯାଇଥିଲା। ୧୯୬୫ ପାକିସ୍ତାନ ବିରୋଧୀ ଯୁଦ୍ଧ, ୧୯୭୧ ବାଂଲା​‌େ​‌ଦଶ ସ୍ବାଧୀନତା ଯୁଦ୍ଧ ଓ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ମିଗ୍-୨୧ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ଏପରି କି ଅପରେସନ ସିନ୍ଦୂର ସମୟରେ ମଧ୍ୟ ମିଗ୍-୨୧କୁ ସଜାଗ ରଖାଯାଇଥିଲା। ଗତ ୬୦ ବର୍ଷ ମଧ୍ୟରେ ୪୦୦ରୁ ଅଧିକ ମିଗ -୨୧ କ୍ରାସ୍ ହୋଇଥିବାବେଳେ ପ୍ରାୟ ୨୦୦ ପାଇଲଟଙ୍କର ଜୀବନ ଯାଇଛି। ୨୦୧୦ ପରେ ୨୦ରୁ ଅଧିକ ବିମାନ କ୍ରାସ ହୋଇଥିଲା । ମିଗ୍ -୨୧କୁ LCA ତେଜସ୍ MK1A ରିପ୍ଲେସ କରିବାର ଯୋଜନା ଥିଲା। କାରଣ ତେଜସ ହେଉଛି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ସଂପୂର୍ଣ୍ଣ ଭାରତୀୟ ଯୁଦ୍ଧ ବିମାନ। ଯାହାକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଏବଂ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସୀ ମିଳିତ ଭାବେ ନିର୍ମାଣ କରିଛନ୍ତି।

କିନ୍ତୁ ତେଜସ୍ ର ଉତ୍ପାଦନରେ ବିଳମ୍ବ ଯୋଗୁଁ ଅଧିକ ସମୟ ଯାଏଁ ମିଗ୍ -୨୧ କୁ ସେବାରେ ରଖାଯାଇଥିଲା। ତେଜସର ଡେଲିଭରିରେ ବିଳମ୍ବ ଭାରତୀୟ ବାୟୁସେନା ପାଇଁ ଚିନ୍ତା ବଢ଼ାଇଛି। ବର୍ତ୍ତମାନ ସୁଦ୍ଧା ୨ଟି ତେଜସ୍ MK1A ଥିବା ବେଳେ ୨୦୨୬ରୁ ପ୍ରତି ମାସରେ ୨ଟି ଲେଖାଏ ତେଜସ୍ MK1A ମିଳିବାର ସମ୍ଭାବନା ରହିଛି।

ଅଧିକ ପଢନ୍ତୁ

kc ads