ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍କ ବ୍ୟକ୍ତିଙ୍କ ସଶକ୍ତିକରଣ(ଏସଏସଇପିଡି) ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୁଧବାର ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେଉଁମାନେ ଦିବ୍ୟାଙ୍କ ବ୍ୟକ୍ତିଙ୍କ ସହିତ ବିବାହ କରିଛନ୍ତି ସେମାନଙ୍କୁ ସାତ ଦିନ ମଧ୍ୟରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରନ୍ତୁ।ଦିବ୍ୟାଙ୍ଗ ଯୁବକ-ଯୁବତୀ ଏବେ ସାଧାରଣ ବ୍ୟକ୍ତି ମଧ୍ୟରେ ବିବାହକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ସହାୟତା ଦେଉଛନ୍ତି । ତେଣୁ ପ୍ରୋତ୍ସାହନ ରାଶି ଦେବାରେ ଅବହେଳା ନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନେକ ଆବେଦନକାରୀ ସହାୟତା ରାଶି ପାଇଁ ଅପେକ୍ଷାରତ ଥିବା ସମୀକ୍ଷା ବେଳେ ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ, ସାମାଜିକ ସଦ୍ଭାବକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଜଣେ ସାଧାରଣ ବ୍ୟକ୍ତି ଏବଂ ଜଣେ ଦିବ୍ୟାଙ୍ଗଙ୍କ ମଧ୍ୟରେ ବିବାହ ପାଇଁ ୨.୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରୁଛନ୍ତି। ତେବେ ଦମ୍ପତିଙ୍କୁ ସେମାନଙ୍କର ବିବାହ ପଞ୍ଜିକରଣ ପ୍ରମାଣପତ୍ର ସହିତ ଆର୍ଥିକ ପ୍ରୋତ୍ସାହନ ପାଇଁ ଆବେଦନ କରିବାକୁ ପଡିବ।
ଉପଯୁକ୍ତ ଯାଞ୍ଚ ପରେ ଦମ୍ପତିଙ୍କ ମିଳିତ ଆକାଉଣ୍ଟରେ ୨.୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଜମା କରାଯିବ କିନ୍ତୁ ସେମାନେ ମିଳିତ ସ୍ୱାକ୍ଷର ଅନୁଯାୟୀ ତିନି ବର୍ଷ ପରେ ହିଁ ଟଙ୍କା ଉଠାଇ ପାରିବେ।