ସଂସଦରେ ୱାକଫ ବିଲ୍ ଆଣିବା ପାଇଁ ପଥ ପରିଷ୍କାର ହୋଇଛି। ଏବେ ଏହାକୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଉପସ୍ଥାପିତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ଏହି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ବୈଠକରେ, ୱାକଫ ସଂଶୋଧନ ବିଲ୍ ୨୦୨୪ କୁ ଅନୁମୋଦନ କରାଯାଇଛି।ୱାକଫ୍ ବିଲକୁ ନେଇ ମିଳିତ ସଂସଦୀୟ କମିଟିର ପରାମର୍ଶ କ୍ରମେ ବିଲରେ ୧୪ ଟି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଧ୍ୟାଦେଶ ଜରିଆରେ ଏସବୁ ସଂଶୋଧନ କରାଯିବ। ବିଲରେ ମୋଟ ଉପରେ ୬୬ ଟି ପରିବର୍ତ୍ତନ କରିବାକୁ ଜେପିସି କମିଟି ସୁପାରିଶ କରିଥିଲା। ସେଥିରୁ ବିରୋଧୀ ଦେଇଥିବା ୪୪ଟି ପ୍ରସ୍ତାବ ନାକଚ ହୋଇଯାଇଛି।
ବିଜେପି ଏବଂ ସହଯୋଗୀ ଦଳ ଦେଇଥିବା ୨୩ ଟି ପ୍ରସ୍ତାବକୁ ଗ୍ରହଣ କରାଯାଇଛି। କମିଟିରେ ୧୬ଜଣ ବିଜେପି ଓ ସହଯୋଗୀ ଦଳଙ୍କ ସାଂସଦ ଥିବା ବେଳେ ୧୦ ଜଣ ବିରୋଧୀ ସାଂସଦ ଅଛନ୍ତି। ସଂଶୋଧନରେ ୱାକଫ ବୋର୍ଡରେ ଅଣମୁସଲିମଙ୍କୁ ନୋମିନେଟ କରିବାର ବ୍ୟବସ୍ଥା ରହିଛି। ଏଥିସହ ଅତି କମରେ ଦୁଇ ଜଣ ମହିଳାଙ୍କୁ ବୋର୍ଡରେ ରଖିବାକୁ ନିଷ୍ପତ୍ତି ହୋଇଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଏହି ବିଲ୍ ୱାକଫ୍ ସମ୍ପତ୍ତିର ନିୟନ୍ତ୍ରଣ ଏବଂ ପରିଚାଳନାରେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଚ୍ୟାଲେଞ୍ଜର ସମାଧାନ ପାଇଁ ୱାକଫ୍ ଆଇନ, ୧୯୯୫ ରେ ସଂଶୋଧନ ଆଣିବାକୁ ଲକ୍ଷ୍ୟ ରଖିଛି। ମୋଦି ସରକାର ୱାକଫ ସଂଶୋଧନ ବିଲ୍ ୨୦୨୪ର ନାମ ପରିବର୍ତ୍ତନ କରି ପ୍ରସ୍ତାବିତ ନାମ ୟୁନିଫାଏଡ୍ ୱାକଫ ମ୍ୟାନେଜମେଣ୍ଟ, ଏମ୍ପାୱାରମେଣ୍ଟ, ଏଫିସିଏନ୍ସି ଆଣ୍ଡ ଡେଭଲପମେଣ୍ଟ (UMEED) ବିଲ୍ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।