3 ମାନବରହିତ ମିଶନ ପରୀକ୍ଷଣ କରିବ ଇସ୍ରୋ

ମହାକାଶକୁ ମାନବଙ୍କୁ ପଠାଇବା ପୂର୍ବରୁ ଇସ୍ରୋ ସତର୍କତା ଅବଲମ୍ବନ କରୁଛି । ପ୍ରକୃତ ମିଶନ ପୂର୍ବରୁ ପ୍ରଥମେ ତିନି ମାନବରହିତ ମିଶନ ପରୀକ୍ଷଣ କରିବ ଇସ୍ରୋ । ବେଙ୍ଗାଲୁରୁରେ ଆୟୋଜିତ ଇଣ୍ଟରନ୍ୟାସନାଲ କନଫରେନ୍ସ ଅନ ସ୍ପେଶକ୍ରାଫ୍ଟ ମିଶନ ଅପରେସନ୍ ଉଦଘାଟନ ଅବସରରେ, ଇସ୍ରୋ ମୁଖ୍ୟ ବି ନାରାୟଣନ କହିଛନ୍ତି ଯେ ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ଆଧାରରେ ଆମେ ମିଶନ ଗଗନଯାନ ଉପରେ ଦ୍ରୁତ ଗତିରେ କାମ କରୁଛୁ । ମାନବଙ୍କୁ ମହାକାଶ ପଠାଇବା ପୂର୍ବରୁ ମାନବରହିତ ମିଶନକୁ ସଫଳ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ’’ । ସେ କହିଛନ୍ତି ଏବେ ମାନବରହିତ ମିଶନରେ କାମ ଚାଲୁଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ଗତିବିଧି ଯୋଜନା ମୁତାବକ ସଠିକ ଦିଗରେ ଚାଲିଛି । ମିଶନ ଗଗନଯାନ ପାଇଁ IADT-02 ଟେଷ୍ଟ ଓ ଆବଶ୍ୟକୀୟ କାମ ଦ୍ରୁତଗତିରେ ଚାଲୁଛି । ଏହା ଛଡା କ୍ରୁ ସଦସ୍ୟଙ୍କ ସାହାଯ୍ୟ ପାଇଁ ସଖୀ ନାମକ ଏକ ଡିଜିଟାଲ ଆସିଷ୍ଟାଣ୍ଟ ବିକଶିତ କରାଯାଇଛି । ଯାହାକି ସ୍ବାସ୍ଥ୍ୟ ସମ୍ବନ୍ଧିତ ରକ୍ଷଣାବେକ୍ଷଣ କରିବା ସହ ରିଅଲ ଟାଇମ ଟେକ୍ନିକାଲ ସାହାଯ୍ୟ କରିବ ।ଇସ୍ରୋ ମୁଖ୍ୟ ମହାକାଶ ମିଶନରେ ‘ମିଶନ ଅପରେସନ’କୁ ନେଇ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । ସେ କହିଛନ୍ତି ଯେ ଲଞ୍ଚ୍‌ ଭେହିକଲ୍ ଅର୍ଥାତ ରକେଟର କାମ ମାତ୍ର 20ରୁ 25 ମିନିଟର ହୋଇଥାଏ। କିନ୍ତୁ ଏହା ପରବର୍ତ୍ତୀ କାମ ଚ୍ୟାଲେଞ୍ଜଦାୟକ ହୋଇଥାଏ । ଯଦି କୌଣସି ସଂଚାର ଉପଗ୍ରହ 15 ବର୍ଷ ପର୍ଯ୍ୟନ୍ତ ପଠାଯାଇଥାଏ ତେବେ ମିଶନ ଅପରେସନ ଟିମକୁ 15 ବର୍ଷ ପର୍ଯ୍ୟନ୍ତ ନଜର ରଖିବାକୁ ପଡିଥାଏ ।

ଅଧିକ ପଢନ୍ତୁ