ନବୀନଙ୍କ ଖାସ୍‌ ଅଫିସରଙ୍କୁ ମିଳିଲା ବଡ଼ ଦାୟିତ୍ୱ

ରାଜ୍ୟର ମୋହନ ମାଝିଙ୍କ ସରକାର ଆଜି ବରିଷ୍ଠ ଓଏଏସ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ପୂର୍ବ ସରକାର ନବୀନ ପଟ୍ଟନାୟକଙ୍କ ଖାସ ଥିବା କିଛି ଓଏଏସ ଅଫିସରଙ୍କୁ ମଧ୍ୟ ଆଜିର ବଦଳିରେ ନୂଆ ଦାୟିତ୍ୱ ମିଳିଛି । ଗୋପବନ୍ଧୁ ପ୍ରାଶାସନିକ ଏକାଡେମୀର ଡେପୁଟି ଡିଜି ଭାବେ ଥିବା ଡା. ପ୍ରଦୀପ କୁମାର ମିଶ୍ରଙ୍କୁ ସାଧାରଣ ଉଦ୍ୟୋଗ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବହୁଚର୍ଚ୍ଚିତ ଓଏଏସ୍‌ ଲାଲା ମନୋଜ କୁମାର ରାୟଙ୍କୁ ଅବସ୍ଥାପିତ କରାଯାଇଛି। ଶ୍ରୀ ରାୟ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ। ଏହାସହ ପୂର୍ବ ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ପ୍ରତାପ ଚନ୍ଦ୍ର ହୋତାଙ୍କୁ ସଂସଦୀୟ ବ୍ୟାପାର ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି।

ପ୍ରଶାନ୍ତ କିଶୋର ମହାପାତ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ, ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି) ଜିଏମ୍‌ ସୁକାନ୍ତ କୁମାର ବେହେରାଙ୍କୁ ଓଏଚ୍‌ଆର୍‌ସିର ସଚିବ ଭାବେ ବଦଳି କରାଯାଇଛି। ମାନସ ରଞ୍ଜନ ପାଢ଼ୀଙ୍କୁ ସାଧାରଣ ପ୍ରଶାସନ ବିଭାଗ, ସୁରଞ୍ଜନ ପ୍ରଧାନଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ସଚିବ, କୃତ୍ତିବାସ ରାଉତଙ୍କୁ ପଞ୍ଚାୟତିରାଜ ବିଭାଗରୁ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଓ ସରୋଜ କୁମାର ରାଉତଙ୍କୁ ପରିବହନ ବିଭାଗକୁ ବଦଳି କରାଯାଇଛି। ଏସ. କେ ଜମିରୁଦ୍ଦିନ ହେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ । ରବୀନ୍ଦ୍ର ସେଠୀ ଓ ବନ ନିଗମର ମହାପ୍ରବନ୍ଧକ ଭାବେ ନିଯୁକ୍ତ ହୋଇଛନ୍ତି । ଦୀନକୃଷ୍ଣ କର ହେଲେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଯୁଗ୍ମ ସଚିବ ।

ଅଧିକ ପଢନ୍ତୁ