ସକ୍ରିୟ ମୌସୁମୀ ପ୍ରଭାବରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିବ। ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲା ସମେତ ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେବେ ସନ୍ଧ୍ୟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୭ରେ ଏହା ଲଘୁଚାପ ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ୭ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି । କିଛି ସ୍ଥାନରେ ୧୨୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ୮ ତାରିଖରେ ପ୍ରବଳ ବର୍ଷା ହେବ । ୬ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲାର କିଛି ସ୍ଥାନରେ ୭୦ରୁ ୧୧୦ ମିମି ବର୍ଷା ସମ୍ଭାବନା ଅଛି ।