ରାଜ୍ୟରେ ଏବେ ବି ଜାରି ରହିଛି ଆଳୁ ସଙ୍କଟ। କିଛି ସ୍ଥାନରେ ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ। ଅନେକ ସ୍ଥାନରେ ମାର୍କେଟ୍ରୁ ଆଳୁ ଉଭାନ ହୋଇଗଲାଣି। ଆଜି ସୁଦ୍ଧା ଯଦି ପର୍ଯ୍ୟାପ୍ତ ପରିମାଣରେ ଆଳୁ ନପହଞ୍ଚେ ତେବେ ବଜାରରେ ଆହୁରି ଚଢାଦରରେ ଆଳୁ ବିକ୍ରି ହେବ। ପଶ୍ଚିମବଙ୍ଗ ସରକାରଙ୍କ କଟକଣା କାରଣରୁ ଚୋରାରେ ଓଡ଼ିଶାକୁ ଆସୁଛି ଆଳୁ। ପଶ୍ଚିମବଙ୍ଗରୁ ଭାୟା ବିହାର ଦେଇ ଭୁବନେଶ୍ବର ଆସୁଛି ଆଳୁ ଗାଡି । ଆଳୁ ଗାଡି ନେଇ ଆସିଥିବା ପଶ୍ଚିମବଙ୍ଗ ଡ୍ରାଇଭର ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି । ଡ୍ରାଇଭର ଜଣଙ୍କ କହିଛନ୍ତି., ଆମ ସରକାର ଓଡିଶାକୁ ଆଳୁ ଟ୍ରକ୍ ଛାଡୁ ନାହାନ୍ତି । ବିହାର, ଝାଡଖଣ୍ଡ ଦେଇ ଗାଡି ଆଣୁଛୁ । ସିଧାସଳଖ ପଶ୍ଚିମବଙ୍ଗରୁ ଆସିଥିଲେ ଗୋଟିଏ ଦିନରେ ପହଞ୍ଚିଥାନ୍ତୁ ।
ବିହାର, ଝାଡଖଣ୍ଡ ଦେଇ ଆସିବାକୁ ୪ ଦିନ ଲାଗୁଛି । ସେପଟେ ପଶ୍ଚିମବଙ୍ଗରୁ ଆଳୁ ଗାଡ଼ ଆସୁନଥିବାରୁ ଓଡ଼ିଶାରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢୁଛି। ଗତକାଲି କିଛି ସାମଜିକ ସଂଗଠନର କର୍ମୀମାନେ ମଙ୍ଗଳୁ ଛକ ନିକଟରେ ପଶ୍ଚିମବଙ୍ଗକୁ ବିଭିନ୍ନ ଖାଦ୍ୟ ସାମ୍ରଗୀ ଯାଉଥିବା ଟ୍ରକକୁ ଅଟକାଇଥିଲେ। ଅଣ୍ଡା ଓ ମାଛ ବୋଝେଇ ଟ୍ରକ୍ ମଧ୍ୟ ଅଟକାଇଥିଲେ ଆନ୍ଦୋଳନକାରୀ। ଆଗକୁ ପଶ୍ଚିମବଙ୍ଗକୁ ଯାଉଥିବା କୌଣସି ଗାଡ଼ି ଓଡ଼ିଶା ଦେଇ ଛଡ଼ାଯିବ ନାହଁ ବୋଲି ଚେତାବନୀ ଦେଇଛନ୍ତି।