ପଞ୍ଜାବ ଜଳନ୍ଧର ଓ ବିହାର ପୁରୁଣିଆରୁ ଆସି ଓଡ଼ିଶାରେ ପହଞ୍ଚିଛି ଆଳୁ ଟ୍ରକ୍ । 

କେବେ ସ୍ୱାଭାବିକ ହେବ ଆଳୁ ଦର। ରାଜ୍ୟରେ ଆଳୁ ଦର ଆକାଶ ଛୁଆଁ ରହିଥିବାବେଳେ ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ସାଧାରଣ ଖାଉଟି। ତେବେ ଏହା ଭିତରେ ଆସିଛି ଖୁସି ଖବର, ଓଡ଼ିଶାରେ ପହଞ୍ଚିଲା ୪ ରାଜ୍ୟର ଆଳୁ ଟ୍ରକ୍ । ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ପରେ ଏବେ ପଞ୍ଜାବ ଜଳନ୍ଧର ଓ ବିହାର ପୁରୁଣିଆରୁ ଆସି ଓଡ଼ିଶାରେ ପହଞ୍ଚିଛି ଆଳୁ ଟ୍ରକ୍ । ଉତ୍ତର ପ୍ରଦେଶ ସହିତ ପଞ୍ଜାବ ଓ ବିହାର ଆଳୁ ମାର୍କେଟରେ ପହଞ୍ଚିବା ପରେ ଆଳୁ ବିକିବାକୁ ନେଇ ଆରମ୍ଭ ହୋଇଛି ତୀବ୍ର ପ୍ରତିଦ୍ବନ୍ଦ୍ବିତା । ଏବେ ପଶ୍ଚିମବଙ୍ଗକୁ ପଛରେ ପକାଇବାକୁ ବାହାରିଲେଣି ୟୁପି, ପଞ୍ଜାବ ଓ ବିହାର ଆଳୁ ବେପାରୀ । ଓଡ଼ିଶା ବଡ଼ ଖାଉଟୀ ମାର୍କେଟ୍ ହୋଇଥିବାରୁ ଏବେ ଏଠାରେ ଆଳୁ ବ୍ୟବସାୟ କରିବା ପାଇଁ ଏସବୁ ରାଜ୍ୟର ବ୍ୟବସାୟୀ ଆଗ୍ରହ ଦେଖାଇଛନ୍ତି । ଏମିତିକି କ୍ଷତି ସହି ମଧ୍ୟ ଓଡ଼ିଶା ମାର୍କେଟରୁ ବେଙ୍ଗଲ ବେପାରୀଙ୍କୁ ହଟାଇବାକୁ ରାଜି ଅଛନ୍ତି ଉତ୍ତରପ୍ରଦେଶ ଆଳୁ ବ୍ୟବସାୟୀ ।

ଓଡ଼ିଶାରେ ବେଙ୍ଗଲ ଆଳୁ ବନ୍ଦ ହୋଇଗଲେ ବି ୟୁପି ଓଡ଼ିଶାର ପରମାନେଣ୍ଟ ଆଳୁ ଯୋଗାଣକାରୀ ରାଜ୍ୟ ହେବ ବୋଲି କହିଛନ୍ତି ସେଠାକାର ଆଳୁ ବ୍ୟବସାୟୀ । ସେପଟେ ପଞ୍ଜାବ ଓ ବିହାର ଆଳୁ ବେପାରୀ ମଧ୍ୟ ଓଡ଼ିଶାକୁ ଆଳୁ ଯୋଗାଇବାକୁ ରାଜି ଅଛନ୍ତି । ଓଡ଼ିଶା ବ୍ୟବସାୟୀ ବି ଏହାକୁ ନେଇ ବେଶ୍ ଖୁସି ଅଛନ୍ତି । ସେମାନଙ୍କ କହିବା କଥା କମ୍ପିଟେସନ ହେଲେ ଦିଦିଙ୍କ ମନମାନୀ କମିବ । ତେବେ ଆଳୁ ମିଶନ ପାଇଁ ଆଗାମୀ ୫ ବର୍ଷର ରୂପରେଖ ପ୍ରସ୍ତୁତ କରୁଛନ୍ତି ମୋହନ ସରକାର। ଆଳୁ ଉତ୍ପାଦନରେ ଓଡ଼ିଶା କିଭଳି ଆତ୍ମନିର୍ଭରଶୀଳ ହୋଇପାରିବ ସେନେଇ ଚାଲିଛି ବିଚାର ବିମର୍ଷ। ତେଣୁ ପୂର୍ବ ସରକାର ଭଳି ଆଳୁ ମିଶନ କେବଳ ଫାଇଲ ଭିତରେ ସୀମିତ ନରହି କେତେ କାର୍ଯ୍ୟକାରୀ ହେଉଛି ତାହା ଦେଖିବା ବାକି ରହିଲା।

ଅଧିକ ପଢନ୍ତୁ