ସାମ୍ନାକୁ ଆସିଲା ଆଡପ ପହଣ୍ଡି ବେଳେ ବଡ଼ ଠାକୁର ପଡ଼ିଯିବାର କାରଣ । ଆବଶ୍ୟକଠାରୁ ଅଧିକ ସଂଖ୍ୟକ ସେବକ ରଥରେ ଚଢିବା ଓ ବିଡ଼ିଆ ମଣୋହି ନୀତି ବିଳମ୍ବ ଯୋଗୁ ୪୫ ମିନିଟ୍ ରଥରେ ଠାକୁର ଅଟକି ରହିଥିବାରୁ ଏତେ ବଡ଼ ଅଘଟଣ ଘଟିଥିଲା । ତେବେ ଆସନ୍ତା ପରିଚାଳନା କମିଟି ବୈଠକରେ ଏହି ରିପୋର୍ଟ ଉପରେ ଆଲୋଚନା ହେବ । ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଗାମୀ ଦିନରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହୁଏ ସେ ନେଇ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।
୩ ଜଣିଆ ତଦନ୍ତକାରୀ କମିଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ପ୍ରଦାନ କରିଛି । ଗତ ଜୁଲାଇ ୯ ତାରିଖରେ ଆଡ଼ପ ପହଣ୍ଡି ବେଳେ ଏପରି ବଡ଼ ଅଘଟଣ ଘଟିଥିଲା । ଏହାର କାରଣ ଖୋଜିବା ପାଇଁ ଏକ ତିନି ଜଣିଆ ତଦନ୍ତ କମିଟି ଗଠନ କରାଯାଇଥିଲା । ତଦନ୍ତ ବେଳେ ବଡ଼ଠାକୁରଙ୍କ ବାଡ଼ଗ୍ରାହୀଙ୍କ ପ୍ରତିନିଧି ଭାବେ ପୁଅ ଅନାଥ ମହାପାତ୍ରଙ୍କ ସମେତ ଜେଟିପି, ନିଯୋଗ କାର୍ଯ୍ୟକର୍ତାଙ୍କୁ ଜେରା କରାଯାଇଥିଲା । ଶ୍ରୀମନ୍ଦିର କମାଣ୍ଡର ଓ ଅନ୍ୟମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଥିଲେ ।