ଦୀର୍ଘ ୧୫ବର୍ଷ ପରେ ପୁଣି ବହୁଚର୍ଚ୍ଚିତ ବ୍ଲାକ୍ରୋଜ ଜାହାଜ ବୁଡ଼ି ଘଟଣାର ଗୁମର ଖୋଲିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜାହାଜ ବୁଡ଼ି ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୁଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ପତ୍ର ଲେଖିଛି ରାଜ୍ୟ ସ୍ବରାଷ୍ଟ୍ର ବିଭାଗ। ଫଳରେ ଏହି ଘଟଣାର ସିବିଆଇ ତଦନ୍ତ ଆରମ୍ଭ ଆଶା ସଞ୍ଚାର ହୋଇଛି।ସୂଚନାଯୋଗ୍ୟ, ୨୦୦୯ ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ବନ୍ଦରଠାରୁ ୫ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ମଙ୍ଗୋଲିଆର ପଣ୍ୟବାହୀ ଏମ୍ଭି ବ୍ଲାକ୍ରୋଜ ଜାହାଜ ବୁଡ଼ି ଯାଇଥିଲା। ଉକ୍ତ ଜାହାଜରେ ପ୍ରାୟ ୨୩,୫୦୦ ମେଟ୍ରିକ ଟନ୍ ଲୁହାପଥର ଏବଂ ୯୨୦ ମେଟ୍ରିକ୍ ଟନ୍ ଫର୍ନେସ ଅଏଲ ବୋଝେଇ ହୋଇଥିଲା। ଏହି ଦୁର୍ଘଟଣା ସମୟରେ ଜାହାଜରେ ୨୭ଜଣ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ୨୬ଜଣ ଉଦ୍ଧାର ହୋଇଥିବାବେଳେ ଜଣେ ରୁଷୀୟ ଯନ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ଲାକ୍ରୋଜ୍ ବୁଡ଼ି ଘଟଣା ପରେ ପାରାଦୀପ ମେରାଇନ ଥାନାରେ ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ଏକ ଏତଲା ଦାୟର ହୋଇଥିଲା। କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରିଥିଲା। ଏହା ଏକ ଅନ୍ତର୍ଜାତୀୟ ଅପରାଧ ହୋଇଥିବାରୁ କ୍ରାଇମବ୍ରାଞ୍ଚ ଧାର୍ଯ୍ୟ ସୀମା ଭିତରେ ତଦନ୍ତ କରିପାରିବ। ସିବିଆଇ ଏହି ଘଟଣାର ପ୍ରାଥମିକ ତଦନ୍ତ କରିଥିଲା। ୨୦୧୯ ମସିହାରେ ଜାହାଜ ବୁଡ଼ି ସଂପର୍କିତ ତଥ୍ୟ ହସ୍ତାନ୍ତର କରିବା ଲାଗି ସିବିଆଇ ରାଜ୍ୟ ସରକାରଙ୍କୁ ଦୁଇ ଥର ପତ୍ର ଲେଖିଥିଲା। ଏହି ଘଟଣାରେ ବିଜୁ ଜନତା ଦଳର ନେତାମାନଙ୍କ ସଂପୃକ୍ତି ଥିବାରୁ ସରକାରଙ୍କ ପକ୍ଷରୁ କାଗଜପତ୍ର ସିବିଆଇକୁ ହସ୍ତାନ୍ତର କରାଗଲା ନାହିଁ। କାଗଜପତ୍ର ହସ୍ତାନ୍ତର ନ ହେବା କାରଣରୁ ସିବିଆଇ ଏହାର ତଦନ୍ତ କରିପାରି ନ ଥିଲା।