ପ୍ରୋସେସିଂ ପାଇଁ ମିଲ୍‌କୁ ଗଲା ମହାପ୍ରଭୁଙ୍କ ଅର୍ପଣ ଚାଉଳ!

ମହାପ୍ରଭୁଙ୍କ ଅର୍ପଣ ଚାଉଳ ବିବାଦ କଣ୍ଟା ଭଳି ତଣ୍ଟିରେ ଲାଗିଛି। ସାରା ରାଜ୍ୟରୁ ସଂଗୃହୀତ ଏହି ଚାଉଳ ଦୀର୍ଘ ୮ ମାସ ଧରି ପଡ଼ିରହିବା ପରେ ପାଣି ଲାଗି ଫିମ୍ପି ମାରିଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ସାରାରାଜ୍ୟରୁ ଏହି ଅର୍ପଣ ଚାଉଳ ସଂଗ୍ରହ କରିଥିଲେ ପୂର୍ବ ବିଜେଡି ସରକାର। ଭକ୍ତି ଭାବରେ ଲୋକେ ବଡଠାକୁରଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିବା ଚାଉଳକୁ ଭୋଗ ଲଗାଇ, ବଣ୍ଟାଯିବ ବୋଲି କୁହାଯାଇଥିଲା।କିନ୍ତୁ ଏହା ସଫଳ ହୋଇ ପାରିଲା ନାହିଁ |ଏନେଇ ସୁଆର ମହାସୁଅର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ସାରା ରାଜ୍ୟରୁ ୧୪ ହଜାର କୁଇଣ୍ଟାଲ ଚାଉଳ ପ୍ରଶାସନ ନିକଟକୁ ଆସିଥିଲା। ସେଥିମଧ୍ୟରୁ ୪ ହଜାର କୁଇଣ୍ଟାଲ ସୁଆର ମହାସୁଆର ନିଯୋଗକୁ ପ୍ରଦାନ କରାଯାଇଥିଲା।

ଫେବୃଆରୀ ୪ରୁ ଜୁନ୍‌ ୬ ପର୍ଯ୍ୟନ୍ତ ଶ୍ରୀମନ୍ଦିର ୩ ଦ୍ୱାରଠାରେ ଭକ୍ତଙ୍କୁ ଖେଚୁଡି ଓ କାନିକା ବଣ୍ଟା ଯାଇଥିଲା। ତେବେ ପାଖାପାଖି ୨୦ କୁଇଣ୍ଟାଲ ବଳକା ଚାଉଳ ଯାହା ଶ୍ରୀମନ୍ଦିର ଉତ୍ତର ଓ ପଶ୍ଚିମ ଦ୍ୱାରଠାରେ ରହିଥିଲା। କିଛି ମାସ ତଳେ ଉକ୍ତ ଚାଉଳକୁ ପ୍ରୋସେସିଂ କରିବାକୁ ନେବା ସମୟରେ ପ୍ରକୃତ ଘଟଣା କ’ଣ ନ ଜାଣି ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଫଳରେ ତାହା ରହିଯାଇଥିଲା। ଅପରପକ୍ଷେ ପ୍ରଶାସନ ନିକଟରେ ଥିବା ଚାଉଳ ତୁରନ୍ତ ପ୍ରୋସେସିଂ କରାଯାଉ ନଚେତ ଅନ୍ୟତ୍ର ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ମହାସୁଆର କହିଛନ୍ତି। ଅନ୍ୟପଟେ ଶନିବାର ଏକ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ସୂଚନା ଦେଇଛନ୍ତି, ଅର୍ପଣ ଚାଉଳ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ଖୁବ୍‌ଶ୍ରୀଘ୍ର ଅର୍ପଣ ଚାଉଳ ସମ୍ପର୍କରେ ସରକାର ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ।

ଅଧିକ ପଢନ୍ତୁ

Odisha Darpan Digital