ରାଜ୍ୟରେ ଲାଗୁ ହେବ କାମଧେନୁ ଯୋଜନା

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହେବ କାମଧେନୁ ଯୋଜନା। ଜାତୀୟ ମୌସୁମୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ଲୋକସେବା ଭବନରେ କେନ୍ଦ୍ର ପ୍ରାଣୀସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ପଶୁ ସମ୍ପଦ ବିକାଶ, ଦୁଗ୍ଧ ଉତ୍ପାଦନ ବୃଦ୍ଧି ଏବଂ ମତ୍ସ୍ୟ ଚାଷକୁ ବ୍ୟାପକ କରିବା ପାଇଁ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ସୁଦୂରପ୍ରସାରୀ ବିକାଶ ଏବଂ ଏହାର ନିରନ୍ତରତା ବଜାୟ ରଖିବା ସମ୍ପର୍କରେ ବ୍ୟାପକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ପଶୁ ସମ୍ପଦ ଉତ୍ପାଦନ କୃଷକଙ୍କ ଜୀବନରେ ଖାଦ୍ୟ, ଆୟ ଓ ନିଯୁକ୍ତି ପ୍ରଦାନରେ ମୁଖ୍ୟ ଭୂମିକା ବହନ କରିଥାଏ। ରାଜ୍ୟରେ ଦୈନିକ ଦୁଗ୍ଧ ଉତ୍ପାଦନକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଏକ ନୂତନ ଅମ୍ବ୍ରେଲା ସ୍କିମ୍‌ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଆରମ୍ଭ କରାଯିବ।

ଏହା ଅଧୀନରେ ପ୍ରତିବର୍ଷ ୨,୦୦୦ ହିତାଧିକାରୀଙ୍କୁ ୨ଟି କ୍ରସ୍‌ବ୍ରିଡ୍‌ ଗାଈ ରଖିବା ପାଇଁ କ୍ଷୁଦ୍ର ଦୁଗ୍ଧ ୟୁନିଟ୍‌ ପ୍ରତିଷ୍ଠା କରାଯିବ। ଏଥିସହ ୨୦ ହଜାର ଦୁଗ୍ଧ ଚାଷୀଙ୍କୁ ରିହାତିରେ ବାଛୁରୀ ଖାଦ୍ୟ ଯୋଗାଇଦିଆଯିବ। ୧ ଲକ୍ଷ ଚାଷୀ ଦୁଧିଆଳୀ ଗାଈର ବୀମା ପାଇଁ ସହାୟତା ପାଇବେ। ଏସବୁକୁ ଦୃଷ୍ଟିରେ ରଖି ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ମୋଟ ଆବଣ୍ଟନ ୬୯୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀ ବଜେଟ ଅଭିଭାଷଣ ବେଳେ ସୂଚନା ଦେଇଥିଲେ।ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଜାତୀୟ ଦୁଗ୍ଧ ଉତ୍ପାଦନ ଉନ୍ନୟନ ବୋର୍ଡ଼(ଏନଡିଡିବି) ସହ ରାଜ୍ୟ ସରକାର ବୁଜାମଣା ପତ୍ର ସ୍ଵାକ୍ଷର କରିଛନ୍ତି। ଏନଡିଡିବି ବ୍ରହ୍ମପୁରଠାରେ ପଶୁ ଟିକା ଉତ୍ପାଦନ କେନ୍ଦ୍ର ଏବଂ ଭୁବନେଶ୍ଵରରେ ପଶୁ ଖାଦ୍ୟ ମାନ ନିର୍ଦ୍ଧାରଣ ପରୀକ୍ଷାଗାର ପ୍ରତିଷ୍ଠା କରାଯିବ। ଏହା ସହିତ କୁକୁଡ଼ା ଏବଂ କ୍ଷୁଦ୍ର ପ୍ରାଣୀ ଉତ୍ପାଦନ ବୃଦ୍ଧି ପାଇଁ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅଧିକ ପଢନ୍ତୁ