ରାଜ୍ୟରେ ପ୍ରାୟ ୧୧ ଜିଲାର କେତେକ ସ୍ଥାନରେ ଘଡଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏହିସବୁ ଜିଲାଗୁଡ଼ିକ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବରଗଡ଼ ଆଦି ରହିଛି। ଏନେଇ ସମ୍ପୃକ୍ତ ଜିଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।ତେବେ ଓଡ଼ିଶାରେ ଅକ୍ଟୋବର ୧୫ ପୂର୍ବରୁ ମୌସୁମି ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା କମ୍। ସ୍ବାଭାବିକ ଭାବେ ଅକ୍ଟୋବର ୧୨ରୁ ୧୫ ମଧ୍ୟରେ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଥାଏ; କିନ୍ତୁ ଚଳିତ ବର୍ଷ ୧୫ତାରିଖ ପୂର୍ବରୁ ମୌସୁମୀ ଫେରିବା ନେଇ କୌଣସି ସ୍ପଷ୍ଟ ସଙ୍କେତ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ଜୁନ୍ ପହିଲାରୁ ସେପ୍ଟେମ୍ବର ୩୦ ସୁଦ୍ଧା ରାଜ୍ୟରେ ସ୍ବାଭାବିକ ବର୍ଷା ୧୧୫୦.୨ମି.ମି. ହେବା କଥା, କିନ୍ତୁ ୧୦୯୨ମି.ମି. ବର୍ଷା ରେକର୍ଡ ହୋଇଛି; ଯାହାକି ସ୍ବାଭାବିକରୁ ୫ପ୍ରତିଶତ ନିଅଣ୍ଟ। ଏହି ସମୟ ମଧ୍ୟରେ ୪ଟି ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଦୁଇଟି ଜିଲାରେ ସ୍ବାଭାବିକରୁ ଅଧିକ ବର୍ଷା ଏବଂ ଅବଶିଷ୍ଟ ୨୪ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି।