ନକଲି ସାମଗ୍ରୀ ପ୍ରସ୍ତୁତିର ଆଡ୍ଡା ସ୍ଥଳ ପାଲଟିଛି କଟକ। ଯେତେ ରେଡ୍ କଲେ ବି ଥମୁନି କାରବାର। ଏହି କ୍ରମରେ ଗୁରୁବାର ଜଗତପୁରରୁ ପୁଣି ଠାବ ହେଲା ନକଲି ଘିଅ କାରଖାନା। ବନସ୍ପତିରେ ବିଭିନ୍ନ ଏସେନ୍ସ ମିଶାଇ ତିଆରି ହେଉଥିଲା ‘ବାଲ୍ଗୋପାଲ୍’ ଖାଣ୍ଟି ଗୁଆ ଘିଅ! ଆଉ ସେହି ଘଅକୁ ମାର୍କେଟକୁ ଛଡ଼ା ଯାଉଥିଲା। ଯାହାକୁ ଆମେ ଅସଲି ଘିଅ ଭାବି ଖାଉଛୁ ଓ ଠାକୁରଙ୍କ ପାଖରେ ପୂଜାରେ ବ୍ୟବହାର କରୁଛୁ। ଘିଅ କମ୍ପାନୀ ଚାଲୁଥିବା ମାଲିକକୁ ଅଟକ ରଖିଛି ପଚରା ଉଚୁରା କରାଯାଉଛି। ନକଲି ଘିଅ ତିଆରି ନେଇ ଜଗତପୁର ଥାନା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ତା’ପରେ ଏନେଇ ସିଏମ୍ସିର ଖାଦ୍ୟ ସୁରକ୍ଷା ବିଭାଗକୁ ଖବର ଦେଇଥିଲା। ପରେ ପୁଲିସ୍ ଓ ଖାଦ୍ୟ ସୁରକ୍ଷା ଟିମ୍ ମିଳିତ ଭାବେ ନକଲି ଘିଆ ଫ୍ୟାକ୍ଟ୍ରୀରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବହୁ ପରିମାଣରେ ନକଲି ଘଅ ମହଜୁଦ୍ ଥିବା ଦେଖିବାକୁ ମିଳିଛି। ଏଥିସହ ଘିଅର ମାନ ଯାଞ୍ଚ ପାଇଁ ନମୂନା ସଂଗ୍ରହ କରାଯାଇଛି।