ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଗ୍ରାମୋଦୟ’ କାର୍ଯ୍ୟକ୍ରମ। ହିତାଧିକାରୀଙ୍କୁ ସରକାରୀ ଯୋଜନାର ସବୁ ସୁବିଧା ପହଞ୍ଚାଇବା ଲକ୍ଷ୍ୟ ନେଇ ଏହି ଯୋଜନା କରାଯାଇଛି। ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାର ସମସ୍ତ ବିଭାଗର ମିଳିତ ସହଯୋଗରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’କୁ ଅନୁଧ୍ୟାନ କରିବା ପାଇଁ ରାଜ୍ୟ, ଜିଲା ଓ ବ୍ଲକ ସ୍ତରରେ ତଦାରଖ କମିଟି କାର୍ଯ୍ୟ କରିବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ତଦାରଖ କମିଟି କାର୍ଯ୍ୟ କରିବ। ଏହି କମିଟିରେ ସମସ୍ତ ବିଭାଗର ଶାସନ ସଚିବ ସଦସ୍ୟ ରହିବେ। ଜିଲା ସ୍ତରୀୟ କମିଟିରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଓ ବ୍ଲକସ୍ତରୀୟ କମିଟିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀଙ୍କ କମିଟି ଦ୍ୱାରା ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’ର ପର୍ଯ୍ୟବେକ୍ଷଣ କରାଯିବ। ‘ଗ୍ରାମୋଦୟ’ କାର୍ଯ୍ୟକାରୀ ପାଇଁ ଜନସଂପର୍କ ଶିବିର, ସଚେତନତା ଅଭିଯାନ, ଗ୍ରାମସଭା ଓ ଅଭିଯୋଗ ଶୁଣାଣି ଆଦିର ବ୍ୟବସ୍ଥା କରାଯାଇଛି।ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’ରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏକାଭିମୁଖୀ ହୋଇ ପରିପୂର୍ଣ୍ଣତା ଭିତ୍ତିରେ ଯୋଜନାଗୁଡିକ କାର୍ଯ୍ୟକାରୀ କରିବେ । ଏଥିରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ନୋଡ଼ାଲ୍ ବିଭାଗ ଭାବରେ କାର୍ଯ୍ୟ କରିବ । ଏହା ଅଧୀନରେ ଗ୍ରାମ/ ଗୋଷ୍ଠୀକୁ ୩୧ଟି ସରକାରୀ ଯୋଜନା ଏବଂ ହିତାଧିକାରୀ/ ପରିବାରକୁ ୪୪ ଟି ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।