ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସଚିବମାନଙ୍କୁ ସ୍ପଷ୍ଟ ରୂପେ ଭ୍ରଷ୍ଟ ଓ ପ୍ରଦର୍ଶନରେ ନିକମା ସରକାରୀ କର୍ମଚାରୀଙ୍କୁ ବାହାରକୁ ରାସ୍ତା ଦେଖାଇବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଜନତାଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଚିବମାନଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ କର୍ମଚାରୀଙ୍କ କାର୍ଯ୍ୟର ମୂଲ୍ୟାୟନ କରାଯାଉ। ଯେଉଁମାନେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଛନ୍ତି କିମ୍ବା ଦୁର୍ନୀତିରେ ଲିପ୍ତ ରହୁଛନ୍ତି ସେମାନଙ୍କୁ ବହିସ୍କାର କରିବା ଲାଗି ସରକାରଙ୍କ ପୂର୍ଣ୍ଣ କ୍ଷମତା ରହିଛି।
ରିଟାୟାର କରାଯାଉଥିବା କର୍ମଚାରୀଙ୍କୁ ୩ ମାସର ନୋଟିସ୍ ଦିଆଯିବ ଅଥବା ସେମାନଙ୍କୁ ୩ ମାସର ବେତନ ଓ ଭତ୍ତା ସହିତ ରିଟାୟାର କରାଯାଇ ପାରେ। ଏହି ନିର୍ଦ୍ଦେଶ ହରିୟାଣା ଓ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ଏହା ବି କହିଛନ୍ତି ଯେ ମନ୍ତ୍ରାଳୟ ଓ ସଚିବମାନେ ଫାଇଲଗୁଡିକୁ ଗୋଟିଏ ଡେସ୍କରୁ ଅନ୍ୟ ଡେସ୍କକୁ ଧକ୍କା ଦେବା ଅପେକ୍ଷା ସର୍ବସାଧାରଣ ଅଭିଯୋଗର ଦ୍ରୁତ ସମାଧାନ ହେବା ଦରକାର। ସେ ସଚିବମାନଙ୍କୁ ସପ୍ତାହରେ ଅନୁନ୍ୟ ଗୋଟିଏ ଦିନ ଅଭିଯୋଗର ସମାଧାନ ବାହାର କରିବା ପାଇଁ ଓ ରାଷ୍ଟ୍ରମନ୍ତ୍ରୀମାନଙ୍କୁ ଏହା ଉପରେ ନଜର ରଖିବାକୁ କହିଛନ୍ତି। ଗତ ବୁଧବାର ପ୍ରଧାନମନ୍ତ୍ରୀ ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ସଚିବମାନଙ୍କ ସହିତ ଆଲୋଚନା କରିବା ସମୟରେ ଏହି ନିର୍ଦେଶ ଦେଇଛନ୍ତି। ସିସିଏସ(ପେନସନ) ନିୟମର ମୌଳିକ ନିୟମ ୫୬(ଜେ)ର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ମୌଳିକ ନିୟମ ୫୬(ଜେ) ଅନୁସାରେ, ଯଦି କୌଣସି କର୍ମଚାରୀ ନିଜ କାର୍ଯ୍ୟ ପାଇଁ ଅନ୍ଫିଟ୍ ବା ଅନୁପଯୁକ୍ତ ସାବ୍ୟସ୍ତ ହେବେ, ତେବେ ସରକାର ତାଙ୍କୁ ଯେକୌଣସି ସମୟରେ ବହିସ୍କାର କରିପାରିବେ।