ବେଆଇନ ୫ମହଲା କୋଠା ଭାଙ୍ଗିବାକୁ ପୌର ପରିଷଦର ନୋଟିସ

ରାୟଗଡ଼ା- ରାୟଗଡ଼ା ତହସିଲ ଅନ୍ତର୍ଗତ ସଦର ମହକୁମା ସ୍ଥିତ ଖାତା ନଂ ୫୦/୮୧୨୭ ଅନ୍ତର୍ଗତ ପ୍ଲଟ ନଂ୧୨୬/୧/୯୮୦/୭୧୬୩ରେ ରେସିଡେନ୍ସିଆଲ ବ୍ୟବହାର ପାଇଁ ଅନୁମୋଦନ ମିଳିଥିବା ବେଳେ ସେଠାରେ ବେଆଇନ ଭାବେ ୫ମହଲା ବିଶିଷ୍ଟ କର୍ମସିଆଲ କମ୍ପେ୍ଲକ୍ସ ନିର୍ମାଣ ନେଇ ଗତ ୧୫ ତାରିଖରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୌର ପରିଷଦ । ଗୁରୁବାର ସନ୍ଧ୍ୟାରେ ପୌର ପରିଷଦ ପକ୍ଷରୁ କର୍ମଚାରୀ ଚନ୍ଦ୍ରଶେଖର ରଥ ଓ ଅନ୍ୟମାନେ ଆସି ଉକ୍ତ ଦୁଇ କୋଠା ମାଲିକ ରାଜେନ୍ଦ୍ର କୁମାର ସାହୁଙ୍କ ପତ୍ନୀ ଉମା ମହେଶ୍ୱରୀ ସାହୁ ଓ ସୀମାଂଚଳ ସାହୁଙ୍କୁ ପତ୍ନୀ ସ୍ୱାଗତିକା ମାଲିକଙ୍କ ନାମରେ ପୌର ପରିଷଦ ପକ୍ଷରୁ ଚିଠି ନଂ୪୦୫୧ରେ ବେଆଇନ କୋଠା ଭାଙ୍ଗିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇ ଉକ୍ତ କୋଠାରେ ନୋଟିସ ଲଗାଯାଇଛି ।

ଏନେଇ ପୌରନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ରଙ୍କୁ ପଚାରିବାରୁ ଓଡ଼ିଶା ମୁନିସିପାଲିଟି ଆକ୍ଟ ୧୯୫୦ ଅନ୍ତର୍ଗତ ଧାର ୨୫୪ ଅନୁଯାୟୀ ଏହା ବେନିୟମ । ତେଣୁ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି କହିଛନ୍ତି । ଯଦି ଆସନ୍ତା ୭ ଦିନ ମଧ୍ୟରେ କୋଠା ମାଲିକ ଏହି ନୋଟିସ ପ୍ରକାରେ କୋଠାର ଅଧିକ ମହଲା ନଭାଙ୍ଗନ୍ତି ତେବେ ପୌର ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ ସୌମ୍ୟ ମିଶ୍ର । ତେବେ ରାୟଗଡ଼ା ପୌର ପରିଷଦରେ ଏହିଭଳି ବେଆଇନ କୋଠା ନିର୍ମାଣ ଯୋଗୁଁ ପାର୍କିଂ ବ୍ୟବସ୍ଥା ନରହିଥିବାରୁ ଟ୍ରାଫିକ ସମସ୍ୟାରେ ଲୋକେ ହଇରାଣ ହେଉଛନ୍ତି । ତେଣୁ ପୌର ପ୍ରଶାସନ ଏହିଭଳି ପଦକ୍ଷେପ ନେଇ ଏହାର ନିରାକରଣ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି ।

ଅଧିକ ପଢନ୍ତୁ