ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସରକାରୀ ନଥିପତ୍ର ଓ ଲାପଟପ ଚୋରୀ ଘଟଣାରେ ଡାକ୍ତରଙ୍କ ସମେତ ୩ ଗିରଫ

ରାୟଗଡା ୦୧/୧୧ () ରାୟଗଡ଼ା ପୌରପରିଷଦ ଅଞ୍ଚଳ ରିଙ୍ଗରୋଡ ସ୍ଥିତ ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର-୧ରେ ଗତ ୨୯ ତାରିଖ ଦିନ ଚୋରି ହୋଇଥିବା ଘଟଣାରେ ସେଠାରେ କାର୍ଯ୍ୟ କରୁଥିବା ପୂର୍ବତନ ମେଡିକଲ ଅଫିସର ଡାକ୍ତର ରୋହିତ କୁଣ୍ଡୁଙ୍କ ସମେତ ୩ଜଣଙ୍କୁ ରାୟଗଡା ପୋଲିସ ଗିରଫ କରିଥିବା ଜଣାପଡିଛି । ଗିରଫ ହୋଇଥିବା ଅନ୍ୟମାନେ ହେଲେ‌ ସେଠାରେ କାର୍ଯ୍ୟ କରୁଥିବା ଲେବ ଟେକ୍ନସିଆନ ଅବିନାଶ ସାଉନ୍ତା ଏବଂ ଦେବାଶିଷ ଗରଡିଆ । ଏହି ଚୋରୀ ଘଟଣା ସଂପର୍କରେ ବର୍ତ୍ତମାନ କାର୍ଯ୍ୟ କରୁଥିବା ମେଡିକାଲ ଅଫିସର ଡାକ୍ତର ସଂଗ୍ରାମ କିଶୋର ନିମାଲ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ କେନ୍ଦ୍ରର ସଭାଗୃହରେ ଥିବା ଲାପଟପ,ସିସିଟିଭି ହାର୍ଡଡିସ୍କ ସହ ଗୁରୁତ୍ୱପୂର୍ଣ୍ଣ କିଛି ରେଜିଷ୍ଟାର ମଧ୍ୟ ଚୋରି ହୋଇଥିବା ଅଭିଯୋଗରେ ଉଲ୍ଲେଖ କରିଥିଲେ । ମେଡିକଲ ଅଫିସରଙ୍କ ଅଭିଯୋଗକୁ ଭିତି କରି ରାୟଗଡ଼ା ଥାନା ଆରକ୍ଷୀ ନିରୀକ୍ଷକ କମଳକାନ୍ତ ବସନ୍ତ କୁମାର କହଁର ଘଟଣାସ୍ଥଳରେ ପଂହଚି ତଦନ୍ତ କରିଥିଲେ । ଚୋରି ଘଟଣାକୁ ନେଇ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଷ୍ଟାଫଙ୍କୁ ଥାନାକୁ ଆଣି ପଚରାଉଚୁରା କରାଯାଇଥିଲା ।ଗତ ୨୯ତାରିଖ ଦିନ ଉକ୍ତ କେନ୍ଦ୍ର ପରିସରରେ ଥିବା ଏକ ବଡ ଗାତ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅନ୍ୟାନ୍ୟ ରେଜିଷ୍ଟ୍ରାର,ଫାଇଲଗୁଡିକ ଫୋପାଡି ଦିଆଯାଇଥିବା ପୋଲିସ ତଦନ୍ତ ବେଳେ ଦେଖିବାକୁ ପାଇଥିବା ବେଳେ ପରେ କେନ୍ଦ୍ର କର୍ମଚାରୀମାନେ ତାହାକୁ ଉକ୍ତ ସ୍ଥାନରୁ ଆଣି ରଖିବାକୁ ଦେଖିବାକୁ ମିଳିଥିଲା । ଏହି ଚୋରି ଘଟଣାରେ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କ ହାତ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରି , ସମସ୍ତ ଷ୍ଟାଫଙ୍କ ମୋବାଇଲ ଫୋନ ଟ୍ରାକ କରି ଜାଞ୍ଚ କରୁଥିଲା । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ କିଛି ଦିନ ତଳେ ଏଠାକାର ଦାୟିତ୍ୱରେ ଥିବା ତତ୍କାଳୀନ ମେଡିକଲ ଅଫିସର ଡାକ୍ତର ରୋହିତ କୁଣ୍ଡୁ ନିୟମିତ ଭାବେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁ ନ ଥିବା ଏବଂ ରୋଗୀମାନେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ହେଉଥିବା ଅଭିଯୋଗକୁ ନେଇ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗର ଦୁଇ ଜଣିଆ ଟିମ୍ ପକ୍ଷରୁ ତନାଘନା କରାଯାଇଥିଲା । ପରବର୍ତୀ ସମୟରେ ଗତ ୨୪ତାରିଖରେ ଡାକ୍ତର ଶ୍ରୀ କୁଣ୍ଡୁଙ୍କୁ ସେଠାରୁ ବଦଳି କରାଯାଇ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଅବସ୍ଥାପିତ କରାଯାଇ ଡାକ୍ତର ଶ୍ରୀ ନିମାଲଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକଲ ଅଫିସର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ବଦଳି ପରେ ହଠାତ୍ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚୋରୀ ଅଭିଯୋଗ ହୋଇଥିଲା । ପୂର୍ବରୁ ସି.ଡି.ଏମ.ଓ ତତ୍କାଳୀନ ମେଡିକାଲ ଅଫିସରଙ୍ କୁଣ୍ଡୁକୁ ୨ଥର କାରଣ ଦର୍ଶାଅ ନୋଟିସ କରିଥିଲେ ସୁଦ୍ଧା ବ୍ୟବସ୍ଥାର କ‌ୌଣସି ସୁଧାର ଆସିନଥିଲା । ଅବ୍ୟବସ୍ଥ‌ା ଓ ସରକାରୀ ଫା‌ଇଲ ଓ ମୂଲ୍ୟବାନ ସାମଗ୍ରୀ ଚୋରୀ ଘଟଣା ପରେ ଜିଲ୍ଲାପାଳ ଖବର ପାଇ ତଦନ୍ତ କରି ତୁରନ୍ତ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସି.ଡି.ଏମ.ଓ ଙ୍କୁ ନିର୍ଦେଶ ଦେଇଥିଲେ ।

ଅଧିକ ପଢନ୍ତୁ

Odisha Darpan Digital